ମୁଲ୍ଲା ବରାଦର ତାଲିବାନ ସରକାରର ନେତୃତ୍ୱ ନେବେ

0

କାବୁଲ: ସେପ୍‌ଟେମ୍ବର ୩: ତାଲିବାନ ଆତଙ୍କି ଗୋଷ୍ଠୀର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ମୁଲ୍ଲା ବରାଦର ଆଫଗାନିସ୍ତାନରେ ନୂଆ ସରକାରର ନେତୃତ୍ୱ ନେବେ । ତାଲିବାନର ବିଭିନ୍ନ ଗୋଷ୍ଠୀ ସୂତ୍ରରୁ ଏହି ସୂଚନା ମିଳିଛି । ତାଲିବାନର ପ୍ରତିଷ୍ଠାତା ସ୍‌୍ୱର୍ଗତ ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଆବାସ ସ୍ତାନେକଜାଇ ସରକାରରେ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ତାଲିବାନର ଅନ୍ୟତମ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ସୁରକ୍ଷା ବାହିନୀ ୨୦୧୦ରେ ପାକିସ୍ତାନର କରାଚୀ ସହରରେ ଗିରଫ କରିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ସେ ୨୦୧୮ରେ ଜେଲରୁ ମୁକ୍ତ ହୋଇଥିଲେ ।

୨୦ ବର୍ଷର ବ୍ୟବଧାନ ପରେ ଆଫଗାନିସ୍ତାନରେ ଶୁକ୍ରବାର ତାଲିବାନ ସରକାର ଗଠନ ହେବା ସମ୍ଭାବନା ରହିଛି । ଶୁକ୍ରବାର ପ୍ରାର୍ଥନା ପରେ ନୂଆ ସରକାର ଶପଥ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଗତ ଦୁଇ ସପ୍ତାହ ଧରି ଏ ନେଇ ଚାଲିଥିବା ପ୍ରକ୍ରିୟା ଏବେ ଚୂଡ଼ାନ୍ତ ସ୍ତରରେ ପହଞ୍ଚଛି । ଘୋର ଆର୍ଥିକ ଓ ସୁରକ୍ଷାଗତ ସଂକଟ ମଧ୍ୟରେ ସରକାର ଗଠନ ହେବାକୁ ଯାଉଥିବା ଜଣେ ତାଲିବାନ ନେତା ସୂଚନା ଦେଇଛନ୍ତି । ଏମଧ୍ୟରେ ଦେଶର ଆର୍ଥିକ ପରିଚାଳନା ପାଇଁ ତାଲିବାନ ବିଭିନ୍ନ ବୈଦେଶିକ ଅନୁଦାନ ଓ ସହାୟତା ଉପରେ ଆଶା ରଖିଛି । ନିବେଦନ ପରେ ମାନବିକତା ଆଳରେ ବିଭିନ୍ନ ରାଷ୍ଟ୍ର ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏ ବାବଦରେ ତାଲିବାନକୁ ୧୦ ବିଲିୟନ ବା ୧୦୦୦ କୋଟି ଡଲାର ମିଳିବା ସମ୍ଭାବନା ରହିଛି । ଏହାଦ୍ୱାରା ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଖାଦ୍ୟ ସଂକଟ ଦୂର ପ୍ରତି ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି । ଦେଶର ଦୁଇ-ତୃତୀୟାଂଶ ଜନତା ଏବେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ଦେଶରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି ।

Leave A Reply

Your email address will not be published.