କ୍ଷମା କରିଦିଅ

ଡ଼. ଚୌଧୁରୀ ସଂଯୁୂକ୍ତା ଷଡ଼ଙ୍ଗୀ

ମୋ ଦେଶ ଜାତି ବିଧାତା ଗାନ୍ଧି ଗୋପବନ୍ଧୁ !
ତୁମ ଗୁଣ ଯଶ ଗାଇ ମିଛେ ସିନା କାନ୍ଦୁ
ତୁମ ଚଲା ବାଟ ଆଜି ଲାଗୁଛି ଅଡ଼ୁଆ
ନିତି କନ୍ଦଳ ଲାଗୁଛି ଅଧିବେଶନେ ଯାହା।

ମୋ ଦେଶ ପ୍ରଗତି ପାଇଁ ଯେତେକ ଯୋଜନା
ସବୁ ପଣ୍ଡ ହେବା ନୀତି ଆମକୁ ହିଁ ଜଣା
ପ୍ରଗତିକୁ ପଛ କରି ପଦବୀକୁ ଖୋଜୁ
ବିଧାନସଭାରେ ଥାଉ ଅବିଧିରେ ହଜୁ।

ଯେତେ ସବୁ ନିର୍ବାଚିତ ନିୟମର ଦାସ
ସେସବୁ ଭୁଲିଣ କରୁ ନିତ୍ୟ ରାହାସ
ଶାସକ ବିରୋଧୀ ମିଶି ନ ପାରୁ କଦାଚ
ପ୍ରଗତି ବାଟେ ପ୍ରଗତି ଦାବୀ କରୁ ଖର୍ଚ୍ଚ।

ଆମ ପେଟପାଟଣାର ଦୁଃଖ ବଡ଼ ମଣୁ
ଯେତେ ବାଟେ ପାରୁ ସିନା ସବୁ ବୋହି ଆଣୁ
ତଥାପି ବଢ଼ୁଛି ଦୁଃଖ ଆଉ କିଛି ଲୋଡ଼ା
ଦେଶ ସେବା କିବା କଥା; ନ ମଣୁ ଅଲୋଡ଼ା।

ଦେଶ ସେବାକରି ପାପ ଧୋଉ ଗଣ୍ଡାକଡ଼ା
କେତେ ଦୁଃଖୀରଙ୍କି ଦୁଃଖ ଦେଖି ହେଉ ଛିଡ଼ା
ଦୁଃଖ ହେଉ ଦୂର ତାଙ୍କ କେମିତି ଚିନ୍ତିବି ?
ମୋତେ ମୋ ପଦବୀ ଲୋଡ଼ା କେଉଁଠୁ ପାଇବି।

ତଥାପି ମୋ ସେବା ପାଇ ଦେଶ ଧନ୍ୟ ଧନ୍ୟ
ରାଜନୀତି ପେଶାରେ ମୁଁ ନିଆରା ଅନନ୍ୟ
ସବୁରି ଦୁଃଖ ଦୂର ହେଉ ଏମିତି ଚିନ୍ତିବା
ସମ୍ଭବ କି ହେବ କେବେ ବୃଥା ହିଁ ଭାବିବା।

ନିଜ ଦୁଃଖ ଦୂର ହେଉ ନ ଚିନ୍ତଇ ଯେହୁ
ଜାଣ ଭାଗ୍ୟେ ନାହିଁ ତା’ର ଆନେ କିବା କହୁ
ଭାଗ୍ୟ ଭଗବାନ କଥା ବିଶ୍ୱାସରେ ରଖି
ଚାଲନ୍ତି ମୋ ଦେଶବାସୀ ଧର୍ମ ଏକା ସାକ୍ଷୀ।

ଗାନ୍ଧି ଗୋପବନ୍ଧୁ ସାଥେ ଈଶ୍ୱରଙ୍କ ବାଣୀ
ନୋଟ୍‍ କିଛି ଯାଚି ଭୋଟ ନେଉ ସିନା କିଣି
ବିଶେଷଜ୍ଞ ନାନା ମତେ କରନ୍ତି ଯୋଜନା
ପ୍ରଗତି ଆସିବ ଦେଶେ କରୁ ଯେ ଘୋଷଣା।

ଭାଇବନ୍ଧୁ ଆପଣାର ମନକଥା ଜାଣି
କରୁ ଯେତେ ସେବା ହୃଦ ପ୍ରାଣ ନେଉ କିଣି
ଯଦି ଅଛି ଦୋଷ ଆମ କ୍ଷମା ଦିଅକରି
ଏଦେଶ ଜାତି ବିଧାତା ! ମୁହିଁ ସେବକ ବିଚାରୀ

ସେବକ କରିଲେ ଦୋଷ ପ୍ରଭୁ ପାରେ କ୍ଷମି
କାହା ଆଗେ କହିବି କିସ ମନ ଯାଏ ଭ୍ରମି
ଆମ ଦୋଷ ଖୋଜି ଥୋକେ ବଢ଼ାନ୍ତି ସମସ୍ୟା
ସଂକଟେ ଆମ ଜୀବନ ନ ଜାଣ କି ତାହା।

Comments are closed.