ଖେତବାଡ଼ି ସବୁ ଗଲା

ଡ଼. ଚୌଧୁରୀ ସଂଯୁୂକ୍ତା ଷଡ଼ଙ୍ଗୀ

ଚାଷ କରିବାକୁ ଚାଷୀ ଭାଇ ଆଜି
ସାହସ ନ କରି ହୁଅନ୍ତି ଅରାଜି
ପ୍ରକୃତି ସାଜୁଛି ଦାଉ,
ଗାଁ ମାଟି ଛାଡ଼ି କାମ ଖୋଜିଲେଣି
କେମିତି ଭରିବେ ଗୁଜୁରାଣ ଜାଣି
ବଢ଼େ ଠିକାଦାର ଭାଉ।
ନିଜ ଗାଁ ମାଟି ସରଗରୁ ବଡ଼
ପେଟ ଦୁଃଖ ପାଇଁ କଲୁ ସାତପର
ଦୁଃଖ କି କହିବୁ ଆଉ,
ନଜଗି ପାରିଲୁ ନିଜ ଭିଟାମାଟି
ପର ପାଖେ ମୁଣ୍ଡ ଦେଇଛୁ ଯା’ ବିକି
ହୃଦୟ ପାଷାଣ କରି ଯା’ ସହୁ।
ସବୁରି ପେଟରେ ଭରୁଥିଲୁ ଦାନା
ସହି ଖରାବର୍ଷା କି ଶୀତ ଯାତନା
ଖାତର ନଥିଲା ଯହୁଁ
ଏ ଦେଶ ଯବାନ କିଷାନର ଜୟ
ଗାଉଥିଲେ ସର୍ବେ ବାଢ଼ି ବରାଭୟ
ଫେରିବ କି ସେହି କଥା ଆଉ ?
ମୋ ଗାଁ ଦେଶ ମୋ ଭାଇଭଉଣୀ
କି ପୂଜା ମେଲଣ ପରବ ପର୍ବାଣୀ
ବସି ମଣ୍ଡପେ ଭଜନ ଗାଉ
ଏକ ମନ ପ୍ରାଣ ଏକଇ ଚଳଣ
ବାଣ୍ଟି ଦୁଃଖ ସୁଖ ଭୁଲୁ ଯେ କଷଣ
ଆଜି ସେଦିନକୁ ଝୁରି ହେଉ।
ବିଜ୍ଞାନ ଦେଲାଣି କେତେ ଯନ୍ତ୍ରପାତି
ସରକାର ଚାଷୀ ପୁଅକୁ ଯୋଗାନ୍ତି
ଉନ୍ନତ ବିହନ କି ସାର ପାଉ ?
ସବୁ ଯୋଜନାରେ ଚଷା ପୁଅ ସୁସ୍ଥ
ରହିବାକୁ ସରକାର ଚିନ୍ତେ ନିତ୍ୟ
ଯୋଜନା ଯା’ ଫଳବତୀ ହେଉ।
ଚଷାପୁଅ ଫେରୁ ନିଜ ଗାଁ ମାଟିକୁ
ରଖ ତା’ର ମାନ ଫେଡ଼ ତା ଦୁଃଖକୁ
ଛଳନା ନ କର ମା’ମାଟି ପୁଅକୁ
ନିଜ ଝାଳ ତୁଣ୍ଡେ ମାରି ସେ ବଞ୍ଚଇ
କେହି ନ ଭୁଲ ତା ଶ୍ରମ କଥା ଭାଇ
ଏକା ସେ ବୁଝଇ ପେଟ ଦୁଃଖକୁ।
କେହି ନୁହଁ ପର ସର୍ବେ ଆପଣାର
ମଣେ ବୋଲି ଖଟେ ହୋଇ ଝାଳନାଳ
ନ ଭୁଲ ତା ଦୁଃଖ କେହି
ପେଟ ଭରି ଖାଉ ତା’ର ପରିବାର
ଦିଅ ଯନ୍ତ୍ରପାତି ଉନ୍ନତମାନର
ମାଆ ମାଟି ପୁଅ ପରା ସେହି।
କପଟ କରୁଛ ତା’ ଖେତବାଡ଼ି ସାଥେ
ଗଢ଼ କୋଠାବାଡ଼ି ମୂଲ୍ୟ ଦେଇ କେତେ
ସୁନାର ଫସଲ ଯାଏ ତା ଉଜୁଡ଼ି
ବଢ଼େ ଜନସଂଖ୍ୟା କମେ ଖେତବାଡ଼ି
ପେଟ ଦୁଃଖ ଜାଣି କି ଦେବ ଅଜାଡ଼ି
ବେଳ ଥାଉ ଥାଉ ନ ହୁଅ ସଜାଡ଼ି
ଗଲା ଖେତବାଡ଼ି ସିନା ସବୁ ସରି
କୋଠାବାଡ଼ି ଛିଡ଼ା ଦେଖ ଧାଡ଼ି ଧାଡ଼ି
ଚଷା ପୁଅ’ର ସପନ ଆଜି ଗଲାଣି ଉଜୁଡ଼ି।

Comments are closed.