ସତେ ଅବୁଝା ଏ ମନ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

 

ସତେ କେଡ଼େ ଅବୁଝା ଏମନ!
ଅସ୍ଥିର ଏମନ ଭିତରେ ଅହରହ
ଯୁଦ୍ଧର ଘୋଷଣା
ସବୁ ଓଲଟ ପାଲଟ କରିବାକୁ
ଏକାନ୍ତ ଯୋଜନା।
ଅବୁଝା ମନଟାକୁ ବୁଝାଇ ଆଶ୍ୱସ୍ତ
କରିବାକୁ,ବହୁବାର ପ୍ରୟାସ ବାଢିଛି
ବୃଥା ସେ ପ୍ରୟାସ ,ଶତ ଦଂଶନର
ଜ୍ୱାଳାରେ ଆଶଙ୍କିତ ମନ
କୋପାନଳେ ଅବାଟରେ ପାଦକୁ ଥାପିଛି।
ବାରବାର ମନକୁ ଗୋଟିଏ ଆଶ୍ୱସ୍ତ ବଚନ
ଦୋହରାଇ ଦୋହରାଇ କରେ ଆନ୍ଦୋଳିତ
ବୁଝିଯିବା ପଣଟିଏ ପାଖରେ ଥିଲେ,ଏଦଂଶନ
ଜ୍ୱଳନ,ଆଶଙ୍କାରେ ଅସ୍ଥିର ହୁଅନ୍ତା କି ପ୍ରାଣ?
ଅନେକବାର ପ୍ରଶ୍ନର କୁହେଳିକା
ମଧ୍ୟରେ ଘାଣ୍ଟିଚକଟି ହେଉଥିବା ମନ
ବୁଝିଯିବା ପଣଟିଏ ବାଢି କହେ
ତୁମେ ଅବୁଝା ପଣରେ ସତେ
କେତେ ବିଷମ!
ନିଜକୁ ପ୍ରକୃତିସ୍ଥ କରିବା,ଧୈର୍ଯ୍ୟ ଧରିବା
କି ଲାଗଇ କଠିନ?
ବୁଝିଯିବା ପଣଟି ପାଖରେ ଥିଲେ; ଗଢି
ତୋଳିଥିବା ସ୍ୱପ୍ନର ଇଲାକାରେ ଏତେ
ଭଙ୍ଗାରୁଜା, ଏତେ ହଟ୍ଟଗୋଳ ଥାଆନ୍ତା କି?
ଅହଙ୍କାରୀ ଅବୁଝା ମନଟା ନିଜ ଭୁଲ ମାନି
ନିଜକୁ ନିଜେ ସଜାଡି କାହିଁକି ପାରେନି?
କିଛିକ୍ଷଣ ପାଇଁ
ପ୍ରଳୟ ପରେ ଶାନ୍ତ ପୃଥିବୀ ସମ
ଶାନ୍ତ ମନଟି ଆପଣାର ପ୍ରିୟତମ
ସାଜି, ନିଜ ଭୁଲ ମାନି ନେବାକୁ
କେମିତି କେଜାଣି ମଥାପାତି ରହେ।
ଅନୁଶୋଚନାର ଅର୍ଗଳି ମଧ୍ୟରେ
ସଂକୋଚ ମନରେ,ଭୁଲ୍‍ଟାକୁ
ମାର୍ଜ୍ଜଣା କରେ
ଅନ୍ୟକୁ ଆହତ କ୍ଷତାକ୍ତ କରିବାରେ
ତର୍କବାଢି ଭୁଲ୍‍ଟାକୁ ଠିକ୍‍ ବୋଲି
ଅନ୍ୟପ୍ରତି କଟାକ୍ଷ ପାତରେ
ଅନୁଭବ କରେ ଅବୁଝା ମନ ଅଳିନ୍ଦରେ
ଏତେ ଅନ୍ଧକାର ଅଳନ୍ଦୁର ଆସ୍ତରଣ

ନିଜ ସୁଖ ପାଇଁ ସଜ୍ଜିତ ସ୍ୱାର୍ଥର ବେହରଣ!
ଏମିତି କ’ଣ ଜୀଇଁ ହୁଏ ଶାନ୍ତ ସୁନ୍ଦର ଜୀବନ?
କେବଳ ନିଜ ପାଇଁ ସ୍ୱପ୍ନ ଦେଖିବା
ନିଜ ପାଇଁ ବଞ୍ଚି ଶିଖିବାରେ ଆନନ୍ଦ ବା କାହିଁ ?
ଏତିକି ଜାଣିବାକୁ ହେବ,ଅନ୍ୟର ମନ କିଣି
ଆପଣାର କରି ବଞ୍ଚିବାର ସୁଖ ଠାରୁ
ସୁଖ ଆଉ ଜଗତରେ ନାହିଁ।

Comments are closed.