ସପନ ବଣିକ

ଡ଼ ସଂଯୁକ୍ତା ଚୌଧୁରୀ

ସପନକୁ ନେଇ ପସରା ମେଲିଛି
ସପନ ବଣିକ ସାଜି
ବିକାକିଣା ଏଇ ଦୁନିଆରେ ସିନା
ଆଉ ଭାବ ନାହିଁ କିଛି।
ସପନ ନଥିଲେ ସତ କି ହୁଅନ୍ତା
ଦୁନିଆରେ ଯେତେ ଲୀଳା
ଛୋଟ ବଡ଼ ଯେତେ ଜୀବନର କଥା
ସପନ ତ ସବୁ ଥିଲା।
ପକ୍ଷ ଥିଲେ ମୋର ଲଂଘି ମୁଁ ଯାଆନ୍ତି
ସପତ ସାଗର ବକ୍ଷେ
ସେଦିନ ସପନ ଆଜି ସତ ରୂପ
ନେଇଛି ଏହି ଭୂଭାଗେ।
ସପନକୁ ସତ କରିଛି ବିଜ୍ଞାନ
ଜୀବନେ ଭରିଛି ସୁଖ
ସେ ସୁଖେ ଉନ୍ମତ ହୋଇଚି ମାନବ
ସୁଖ ସାଥେ ଭୁଞ୍ଜେ ଦୁଃଖ।
କେ ଦେଖେ ସପନ ମାନବ ପ୍ରଗତି
କାହାର ସପନ ଆଣଇ ଦୁର୍ଗତି
ହସ ଦେବା ପାଇଁ ମଣିଷ ମୁଖରେ
କରେ କେ ସାଧନା ବସି ଦିବାରାତି।
ଲହୁ ଝରାଏ ଯେ ଦାନବ ପଣରେ
ମାନବ ପଣିଆ ନାହିଁ ତା ପ୍ରାଣରେ
ଅକାଳେ ଉଜାଡ଼ି ଦିଏ ସେ ସଂସାର
କେତେ ନିରୀହଙ୍କ ସପନ ସାଥୀରେ।
ମାନବ ଅମୃତ ସନ୍ତାନ ଧରାର
ବଇକୁଣ୍ଠ ସମାନ ଗଢ଼ିବ ସେ ଘର
ସପନ ଭୁଲିଲା ଯେବେ ସେ ରଚିଲା
ଅଣୁଅସ୍ତ୍ରଶସ୍ତ୍ର ବିଜ୍ଞାନ ତା ବଳ।
କେହି ନ ଦେଖିଲା ସୁଖ ଯେ କାହାର
ତେଣୁ ସିନା ଶତୃ ସୃଜିଲା ନିଜର
ସବୁରି ସୁଖ ଯେ ଲୋଡ଼ଇ ସପନେ
ଦେବତା ସମାନ ପୂଜ୍ୟ ଏ ଧରାର।
ସପନ ପସରା ଖୋଲି ନିଅ ଦେଖି
ତୁମ ପାଇଁ ଯାହା ହେବ ମନଲାଖି
ସପନକୁ ସତ ରୂପ ଦେବା ଲାଗି
କର୍ମେ ଦିଅ ମନ ଦୃଢ଼ଭାବ ରଖି।
କରମ ନଥାଇ ଦେଖେ ଯେ ସପନ
ଭାଗ୍ୟ ନିନ୍ଦେ ସେହୁ ଅଟଇ ଅଧମ
ନଥିଲେ ଉଦ୍ୟମ କହ କି ବିଜ୍ଞାନ
ଦେଇଥାନ୍ତା ସେବା ନଜାଣୁ ଅଜ୍ଞାନ ?
କରମକୁ ଯୋଡ଼ି ସପନ ସାଥୀରେ
ଚାଲି ଶିଖିଥିଲେ ଜିତି ପାରିବୁରେ
କର୍ମବୀର ତୁହି ଶତସିଂହ ବଳେ
ମଣିବୁ କାର୍ଯ୍ୟ ତୋ ହେବ ପ୍ରୟାସରେ।
ନ ଚଢ଼ିବା ଯାଏଁ ସଫଳତା ସିଡ଼ି
କର୍ମ ନଛାଡ଼ିବୁ କେବେ ଅବହେଳେ
ମହାନ ଆଦର୍ଶ ହୋଇ ରହିଥିବୁ
ସପନକୁ ସତ ରୂପ ଦେଇଗଲେ।
ଜଗତର ହିତେ ଦେଖ ତୁ ସପନ
ସପନ ବଣିକ ପାଇବୁ ସୁନାମ
ସବୁରି ହିତରେ ସମର୍ପି ଜୀବନ
ପୂଜା ପାଉଛନ୍ତି ଅମର ମହାନ।

Comments are closed.