ସମୟର ସୁଅ

ଡ.ସଂଯୁକ୍ତା ଷଡ଼ଙ୍ଗୀ

ସମୟ ଯାଇଛି ବହି ଏଇ ଅଛି ଏଇ ନାହିଁ
ହୃଦୟ ବହିଛି ଛାପ ପ୍ରାଣେ ଗୁଞ୍ଜରିତ ହୋଇ
ଶିକ୍ଷାର ଆଲୋକମାଳା ଉଜ୍ଜ୍ୱଳ କରିଛି ଯହିଁ
ଜଗତୀକରଣ ବଳେ ଅଗଣା ସାଜିଛି ମହୀ।

ନାରୀଶିକ୍ଷା ଅଭିଯାନ ସଫଳେ ହେଲୁ ସକ୍ଷମ
ରେବତୀ ପଢ଼ୁଛି ପାଠ ଗାଳିମନ୍ଦ ଆଉ କାହିଁ
ସାକ୍ଷର ହୁଅନ୍ତୁ ସର୍ବେ ଓଡ଼ିଶା ଯିବ ଆଗେଇ
ଆସ ଯିବା ପଢ଼ିପାଠ ମୋ ଦେଶ ଭଉଣୀ ଭାଇ।

ଝିଅ ପଢ଼ୁ ଯେତେ ପାଠ ନକର ଆଉ ଆକଟ
ଅର୍ଥ ନୁହେଁ ଅନ୍ତରାୟ ହେଉ ବିଦ୍ୟାଳୟେ ଚାଟ
ଖାଦ୍ୟ ଖାଇ ସୁସ୍ଥ ମନେ ନବବସ୍ତ୍ର ପରିଧାନେ
ପୁସ୍ତକ କଥା ଜାଣିବ ଦେବେ ଦିନେ ଅବଧାନେ।

ଅଣ୍ଡା ପାଇଁ ନିତି ନାଟ ଭାତରୁ କୀଟ ପ୍ରସୂତ
ଗୁରୁଙ୍କ କ୍ଷମତା ନାହିଁ ହାତେ ଧରିବାକୁ ଛାଟ
ଗୁରୁ ପାଇଁ କଟକଣା ନୋହୁ ଚାଟ ବାଟବଣା
ବିନା ଶାସନେ ଶାସିତ, ହୋଇବେ? ନାହିଁଟି ଜଣା।

କେତେ କିସମର ଗୁରୁ ବିଦ୍ୟାଳୟେ କେବେ ଠାରୁ
ସଂସାର ବୋଝକୁ ବହି ହେଉଥାନ୍ତି ଗାରୁ ଗାରୁ
ପେଟପାଟଣାକୁ ଭୁଲି ନିଷ୍ଠା ତ ଗଲାଣି ଚୁଲି
ଶିକ୍ଷକ ହେବା ଯେ କଷ୍ଟ ଜୀବନେ ନ ପାରେ ଭୁଲି।

ଆଇନ କାନୁନ ଧରି ବସିଛନ୍ତି ଅଧିକାରୀ
ଶିକ୍ଷକ ଗଲାଣି ହାରି ନମାନି ନିୟମ ଜାରୀ
ଛାତ୍ର ହେବେ ଶୃଙ୍ଖଳିତ ଖାଇ ନିତି ଭାତ ଡାଲି
ସମୟ କହିବ ସତ ଯା’ ହେବ ଆସନ୍ତା କାଲି।

ଇଂରାଜୀ, କମ୍ପୁଟର ଆଉ ପ୍ରଯୁକ୍ତି ବିଜ୍ଞାନ
ପଢ଼ି ଶିଖିଲେଣି ସର୍ବେ ସତେ କି ପ୍ରବୀଣ
ଇଣ୍ଟରନେଟ ଯୁଗ ଜାଣି ହେଲେ ବିଚକ୍ଷଣ
ଭୁଲିଲେ ଈଶ୍ୱର ପିତାମାତା ଗୁରୁ ଗୁରୁଜନ।

ମାତୃଭାଷା ପରି ଦୂରେ ଫଙ୍ଗି ଆପଣାଜନକୁ
ବିଦେଶ ଗଲେଣି ବହୁ ଅର୍ଥ ଆଣିବାକୁ
ମୋ ଦେଶ ପାଣି ପବନ ମଣିଲେଣି ବିଷ
ସଂସ୍କୃତି ଯେ ବଞ୍ଚାଇବ ଅବୋଧ ଅବଶେଷ।

ସେହୁ ନ ଜାଣେ ବିଦେଶୀ ଭାଷା ରଙ୍ଗଢ଼ଙ୍ଗ
ପ୍ରବାସୀ ହେବାକୁ ମନ ନାହିଁ, ସେ ଅମଙ୍ଗ
ନିଜ ମାତୃଭୂମି ମାତୃଭାଷା ତା ସର୍ବସ୍ୱ
ଗୁରୁ ପିତାମାତା ସେବେ ଅଟେ ଯେଣୁ ନିଃସ୍ୱ।

ଏଦେଶ ସଂସ୍କୃତି ଇତିହାସ କଥା ପଢ଼ି
ମାତୃଭୂମି ତା ଜନନୀ ଯା’ କୋଳେ ସେ ବଢ଼ି
ରଖିବ ସେ ଟେକ ବୋଲି ମନାସିଛି ମନେ
ମାତୃଭାଷା ତା ସାଧନ ଧ୍ୟାୟେ ଅନୁକ୍ଷଣେ।

Comments are closed.