ସମୟ ସୁଅରେ ଜୀବନ ସଂଗୀତ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ସମୟର ନଈ ବହେ ଅଙ୍କାବଙ୍କା ହୋଇ
ଦୁଃଖ ସୁଖ ପ୍ରତି ମୋଡ଼େ କେତେ କଥା କହି
ସେ ବେଳା ଭୂମିରେ ଆମେ ଦୁଇଟି ଝରଣା
ସାଥେ ସାଥେ ଝରି ଯାଉ ନୁହେଁ ବାଟବଣା
ସେ ସମୟ ସ୍ମୃତିର-ସନ୍ତକ ଆମ ପାଇଁ
କରିଛି ଯେ ଏକ ମନ-ପ୍ରାଣ ଏକ ଦେହୀ
ହାତକୁ ହାତ ମିଳାଇ ଦୁଃଖ ଓ ସୁଖରେ
ଚାଲିଅଛୁ ସ୍ନେହ ପ୍ରେମ ଧୈର୍ଯ୍ୟ ହୃଦୟରେ।

ତୁମ ସ୍ନେହବାରି ମୋ ମରୁବୁକୁରେ ଝରି
ଫୁଟାଇଛି କେତେ ଆଶା କୁସୁମିତ କଳି
ମୋ ମନ ଆକାଶ ଚାନ୍ଦ ସୁନେଲି ସପନ
ଦୁଃଖ ଯାଏ ହଜି ଦେଖି ତୁମ ସୁଖ ଦିନ
ହସି ଦେଲେ ପୂରିଯାଏ ଉଣା ନାହିଁ କିଛି
ସଦା ହସୁଥାଅ ସୁଖ ମୁକୁତା ବରଷି
ଜନମେ ଜନମେ ଆମେ ଥିବା ସାଥି ହୋଇ
ହଜିଯିବା ସପନରେ ଭୁଲି ସବୁ କିଛି।

ଏହି ତ ସରଗ ଆମ ବଇକୁଣ୍ଠ ପୁର
ସ୍ନେହ ପ୍ରେମ ସୁଖ ଶାନ୍ତି ବାଣ୍ଟି ପରସ୍ପର
ସୁଖରେ ନୋହି ବିଭୋର ଦୁଃଖେ ନ ଅଧିର
ଚାଲୁଥିବା ସାଥେସାଥେ କର୍ମେ ହୋଇ ସ୍ଥିର
କର୍ମ ହିଁ ତ ଭଗବାନ କର୍ମ ହିଁ ଜୀବନ
ଆନ ଦୁଃଖେ ହେବା ଦୁଃଖୀ ସୁଖ କରି କାମ୍ୟ
ବିଭୁପାଦେ ଅଳି ଆମ ସଦା ସମର୍ପିତ
ମସ୍ତକେ ଆଶିଷବାରି ଥାଉ ପଦ୍ମହାତ।

Comments are closed.