ସମାଜ ଖୋଜଇ ନ୍ୟାୟ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ନ୍ୟାୟ ହଜି ଗଲେ ବିଚାର ଆଳୟେ
କେମିତି ଚାଲିବ ଦୁନିଆ କହ
ଜୋର୍‍ ଯାହାର ମୁଲକ ତାହାର
ସହି ରହିବ କି ଗରିବ ପୁଅ।

ନ୍ୟାୟପତି ସିନା ଧରମ ଦେବତା
ଯହିଁ ନାହିଁ ପ୍ରିୟା ପ୍ରୀତିତୋଷଣ
ମନେ ମାନି ନେଇ ଯେହୁ ଅସହାୟ
ସହିଥାଏ କେତେ କଷ୍ଟକଷଣ।

ହାତ ଟେକି କ୍ରିଷ୍ଣା କୁରୁସଭା ତଳେ
ଯେମନ୍ତେ ଡାକିଲେ ଦିଅ ଅଭୟ
ନ୍ୟାୟାଧୀଶ ପଦେ ରଖି ଭରସା ଯେ
ସଦା ସହେ ସେହୁ ଯେତେ ଅନ୍ୟାୟ।

ବିଚାରପତି ସେ ଯଦି ଭୁଲିଯାଏ
ନ୍ୟାୟ ଦେବା ତା’ର ଏକଇ ଧର୍ମ
ଲୁହ ନ ବହିବ ରୁଧିର ଝରିବ
ଭୁଲି ଯିବେ ସର୍ବେ ଆପଣା କର୍ମ।

ଦୁଷ୍କର୍ମ ଦୁର୍ନୀତି ଦେଖି ବଢ଼ିଯିବ
ଗାନ୍ଧାରୀ ମାତାର ହୃଦୟ କୋହ
ଗାଇଉଠେ ଯେହୁ ଅକ୍ଷୟ ରହୁ
ପୁଣ୍ୟ ଜଗତେ ଧର୍ମର ହେଉ ଜୟ।

ମରିନି ଗାନ୍ଧାରୀ ଏବେ ବି ବଞ୍ଚିଛି
ଅନ୍ଧପୁଟୁଳି ଆଖିରେ ଯା’ର
କେମିତି ଜାଣୁନ ନ୍ୟାୟପତିଗଣ
ବିକି ଚାଲ ନ୍ୟାୟ ଅନ୍ୟାୟ କର।

ବିଚାରପତି ଯେ ଦୁର୍ନୀତି କରନ୍ତି
ଶୁଣିଲେ ଭ୍ରମଇ ସିନା ହୃଦୟ
ନ୍ୟାୟପାଳିକାର ନିରପେକ୍ଷତା
ଗଣତନ୍ତ୍ର ହେବ ବିଶ୍ୱସନୀୟ।

ନିଜ କର୍ମଫଳ ଭୋଗିବାକୁ ସଜ
ହୋଇ ବସିଥାଅ ହେ ବିଚାରପତି
କଚେରୀ ଯେଉଁଠି ତୁମର ବିଚାର
ସେଠି ନ ଚଳଇ ପ୍ରିୟା କି ପ୍ରୀତି।

ବେଳୁ ସାବଧାନ ହୋଇଥାରେ ମନ
କାହା ପାଇଁ ସୁଖ ବସି ମନାସୁ
କେଉଁ ଜନ ଏଠି ମଣୁ ଆପଣାର
ଯାହା ପାଇଁ ପାପେ ଧନ ଅରଜୁ।

ସାକ୍ଷୀ ହୋଇ ମନ ବସିଛି ପରମ
ପାପ ପୁଣ୍ୟ କଥା ଦେଖୁଛି ସେହି
ଆଖିବୁଜି ବସି ଧନ ଅରଜୁରେ
ପାପେ ଭାଗୀ ନୁହଁ ଝିଅ କି ଜୋଇଁ।

ନିଜ ସମ୍ପତ୍ତିର ତାଲିକା ପଇଠ
କରିବାରେ କେତେ ରଖିଛୁ ପେଞ୍ଚ
ଉପର କଚେରୀ ତୋ ପାଇଁ ବସିବ
ସେଠି ନ ଚଳେରେ ଲାଞ୍ଚ କି ମିଛ।

ତୋ ଆଗୁ ଗଲେଣି ଯେତେ କୋଟିପତି
କେ ଯାଇନି ମୁଣ୍ଡେ ବାନ୍ଧି ଶିରପା
କଳି କନ୍ଦଳରେ ମାତିବେ ତୋ ଜନ
ଭାଇଭାଗ ପାଇଁ ସଭିଏଁ ଖପା।

ନର ନାରାୟଣ ସହେ ଯେ କଷଣ
ତା ପାଇଁ କିଛି ଯାଅରେ କରି
ସେତିକି ତୋ ପୁଣ୍ୟବଳ ଯିବ ସାଥେ
ରାମନାମ ସତ୍ୟ ପଡ଼ିବ ହୁରି।

Comments are closed.