ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା

0

ଦେଖିବାକୁ ଅସୁନ୍ଦର ବୋଲି ଶାଗୁଣାକୁ ଅନେକ ନାପସନ୍ଦ କରନ୍ତି ସତ, କିନ୍ତୁ ତା’ର ଅନ୍ୟ ନାମ ହେଲା ପ୍ରକୃତିର ମେହେନ୍ତର । ସେମାନେ ଗାଁ ଓ ସହରରେ ମୃତୁ୍ୟବରଣ କରୁଥିବା ଗୃହପାଳିତ ଓ ବୁଲା ପଶୁମାନଙ୍କର ପଚା ମାଂସକୁ ଖାଇ ସଫା କରିଦଅନ୍ତିି । ମୃତ ଜୀବକୁ ଖାଇବା ପରେ ପୁଣି ନୂତନ ଆହାର ସନ୍ଧାନରେ ସେମାନେ ଦୂରକୁ ଉଡିଯାଆନ୍ତି । ପଚା ଶବ ଖାଉଥିବା ଯୋଗୁଁ ସେମାନେ ଆମ ପରିବେଶକୁ ଉତ୍କଟ ଦୁର୍ଗନ୍ଧରୁ ରକ୍ଷା କରନ୍ତି । ତେଣୁ ଏହି ଅସୁନ୍ଦର ପକ୍ଷୀକୁ ପ୍ରକୃତିର ମେହେନ୍ତର କୁହାଯାଏ ।
ଶାଗୁଣା ଦେହର ପରସବୁ ଦେଖିବାକୁ କଳାମିଶା ବାଦାମୀ ରଙ୍ଗର । ତା’ର ବେକ ଓ ଥଣ୍ଟ ଲମ୍ବା । ମାଂସ ଚିରି କାଟି ଖାଇବା ପାଇଁ ତା ଥଣ୍ଟ ସ୍ୱତନ୍ତ୍ର ଭାବରେ ତିଆରି ହୋଇଛି । ତାର ଖୁବ୍‌ ମଜଭୁତ୍‌ ଚଞ୍ଚୁ ଓ ପrା ରହିଛି । ତା’ ଚଞ୍ଚୁର ଧାରଗୁଡିକ ଇସ୍ପାତ ପରି ଧାରୁଆ । ଶୁଗାଣାର ଦୃଷ୍ଟିଶକ୍ତି ଅତି ପ୍ରଖର । ବହୁଦୂରରେ ପଡିଥିବା ଶବକୁ ସେ ଆକାଶରୁ ଦେଖିପାରେ । ଶାଗୁଣାର ଦୃଷ୍ଟିଶକ୍ତି ପରି ଧାରଣା ଶକ୍ତି ପ୍ରଖର ହୋଇଥିବାରୁ ଦୂରରେ ଯେଉଁଠି ଶବ ପଡିଥିଲେ ମଧ୍ୟ ତା’ର ସନ୍ଧାନ ସେ ପାଇପାରେ । ଉଚ୍ଚରେ ଉଡିବାର ଅଭ୍ୟାସ ଯୋଗୁଁ ତା’ର ଶରୀର ମଧ୍ୟ ଥଣ୍ଡା ରହେ ଓ ଖାଦ୍ୟ ଠାବ କରିବା ସୁବିଧାଜନକ ହୁଏ । ଆକାଶର ବହୁ ଉଚ୍ଚରେ ସେ ଘଣ୍ଟାକୁ ୧୪୪ କି.ମି. ବେଗରେ ଉଡିପାରେ । ଶାଗୁଣାର ନଖ ବଡ ବଡ ଓ ମୁନିଆ ହୋଇଥିଲେ ମଧ୍ୟ ସେ ନିଜପାଇଁ ଖାଦ୍ୟ ଶୀକାର କରେନାହିଁ । ମୃତ ପଶୁ ଓ ଅନ୍ୟ ମାଂସାସୀ ପ୍ରାଣୀଙ୍କ ବଳକା ଖାଦ୍ୟକୁ ସେ ଖାଇଥାଏ । ସେମାନେ ପନ୍ଦର ଦିନ ପର୍ଯ୍ୟନ୍ତ ଖାଦ୍ୟ ନଖାଇ ବଞ୍ଚିପାରିବେ । ଖାଦ୍ୟ ଅନେ୍ୱଷଣ ପାଇଁ ଶାଗୁଣାମାନେ ଦଳବଦ୍ଧ ହୋଇ ଅନେକ ସମୟ ପର୍ଯ୍ୟନ୍ତ ଉଚ୍ଚ ଆକାଶରେ ଉଡିପାରନ୍ତି । ଏମାନଙ୍କର ଡେଣା ଖୁବ୍‌ ବଡ ଓ ଚଉଡା ହୋଇଥିବାରୁ ଅଧିକ ସମୟ ପର୍ଯ୍ୟନ୍ତ ଉଡିଲେ ମଧ୍ୟ ଏମାନଙ୍କୁ କଷ୍ଟ ହୁଏ ନାହିଁ । ଶାଗୁଣାର ମୁଣ୍ଡରେ ପ୍ରାୟତଃ ପର ନଥାଏ । ଫଳରେ ଏହି ଲଣ୍ଡାମୁଣ୍ଡ ତାକୁ ଖାଦ୍ୟ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ । ମାଈ ଶାଗୁଣା ବର୍ଷକୁ ମାତ୍ର ଗୋଟିଏ ଅଣ୍ଡା ଦିଏ । ସାଧାରଣତଃ ୫/୬ ବର୍ଷରେ ଗୋଟିଏ ମାଈ ଶାଗୁଣା ପ୍ରଜନନକ୍ଷମ ହେବା ସହିତ ପ୍ରାୟ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅଣ୍ଟା ଦେଇଥାଏ । ଶାଗୁଣା ଶାବକ ତିନି ମାସର ହେଲା ବେଳକୁ ଉଡିପାରେ । ପୃଥିବୀରେ ପ୍ରାୟ ୨୨ ପ୍ରଜାତିର ଶାଗୁଣା ରହିଥିବାବେଳେ ଭାରତରେ ସେଥିମଧ୍ୟରୁ ୮ ପ୍ରକାର ଶାଗୁଣା ଦେଖିବାକୁ ମିଳନ୍ତି । ଶାଗୁଣାମାନେ ସାଧାରଣତଃ ଜଙ୍ଗଲ ଅଞ୍ଚଳରେ ଉଚ୍ଚ ବୃକ୍ଷ ଓ ତାଳଗଛମାନଙ୍କରେ ଆଶ୍ରୟ ନିଅନ୍ତି । ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶରେ ଶାଗୁଣା ଦେଖାଯାଆନ୍ତି ନାହିଁ । ଭାରତ, ପାକିସ୍ତାନ, ନେପାଳ, ଭୁଟାନ, କାମ୍ବୋଡିଆ ସମେତ ବିଶ୍ୱର ବିଭିନ୍ନ ଦେଶରେ ଶାଗୁଣା ଏବେ ବିରଳ । ‘ଜୁଲୋଜିକାଲ ସୋସାଇଟ୍‌ ଅଫ୍‌ ଲଣ୍ଡନ’ ଏବଂ ‘ବାର୍ଡ୍‌ ଲାଇଫ୍‌ ପାର୍ଟନର’ର ବୈଜ୍ଞାନିକମାନେ ଭାରତ ଏବଂ ପାକିସ୍ତାନରେ ଦ୍ରୁତ ଭାବେ ଶାଗୁଣା ବଂଶ ହ ୍ରାସ ପାଇବାର କାରଣ ଅନୁସନ୍ଧାନ କରି ୨୦୦୩ ମସିହାରେ ଏକ ରିପୋର୍ଟ ପ୍ରକାଶ କରିଥିଲେ ।
ଗୃହପାଳିତ ମୃତ ପଶୁର ପଚା ମାଂସ ଖାଇ ଶାଗୁଣାର ମୃତୁ୍ୟ ଘଟୁଥିବା ସେମାନଙ୍କ ଅନୁଧ୍ୟାନରୁ ଜଣାପଡିଥିଲା । ଗୃହପାଳିତ ପଶୁମାନଙ୍କର ଜ୍ୱର ଓ ଯନ୍ତ୍ରଣାରୁ ରକ୍ଷା ପାଇଁ ‘ଡାଇକ୍ଲୋଫେନାକ୍‌’ ନାମକ ଏକ ଔଷଧ ଦିଆଯାଇଥାଏ । ଏହି ଔଷଧ ଗାଈ, ମଇଁଷିମାନଙ୍କ ଦେହରେ ମିଳାଇ ଯାଏ । ସେମାନେ ମୃତୁ୍ୟବରଣ କରିବା ପରେ ମଧ୍ୟ ଏହି ଔଷଧର ମାତ୍ରା ସେମାନଙ୍କ ଶରୀରରେ ରହିଯାଇଥାଏ । ଏହି ପଶୁମାନେ ମୃତୁ୍ୟବରଣ କରିବାପରେ ସେମାନଙ୍କର ପଚାମାଂସ ଖାଇ ଶାଗୁଣାମାନେ ମୃତୁ୍ୟ ମୁଖରେ ପଡନ୍ତି । ଶୁଗାଣାମାନଙ୍କର କିଡ୍‌ନୀ ଓ ଲିଭର ନଷ୍ଟ ହୋଇଯାଇଥାଏ । ଏହା ଦ୍ୱାରା ଶାଗୁଣାକୁ ଘୁମା ରୋଗ ଧରିଥାଏ ଏବଂ ସେ ତାର ବେକକୁ ଭାଙ୍ଗିରଖିବା ସହ ଉଡିପାରେ ନାହିଁ । ଶେଷରେ ସେ ମୃତୁ୍ୟବରଣ କରେ । ପଚାମାଂସ ଖାଇବା ଯୋଗୁଁ ଶାଗୁଣାକୁ ଉଦରୀୟ ଗାଇଟ୍‌ ରୋଗ ହୋଇଥାଏ ।
ଶରୀରରେ ଜଳୀୟ ଅଂଶ କମିଯିବାରୁ ଶାଗୁଣାର ମୃତୁ୍ୟ ଘଟେ । ଶାଗୁଣାଙ୍କ ଅକାଳ ମୃତୁ୍ୟର କାରଣ ସାଜିଥିବା ପେନ୍‌କିଲ୍‌ର ଡାଇକ୍ଲୋଫେନାକ୍‌ ବ୍ୟବହାର ଉପରେ କେନ୍ଦ୍ର ସରକାର ୨୦୦୮ ମସିହା ଜୁଲାଇ ୪ ତାରିଖରେ ନିଷେଧାଦେଶ ଜାରି କରିଥିଲେ କିନ୍ତୁ ଏବେ ବି ଏହି ଔଷଧ ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇ ପାରିନାହିଁ । ଏହାର ବହୁଳ ବ୍ୟବହାର ଯୋଗୁଁ ସାରା ଭାରତରେ ଶାଗୁଣା ବଂଶ ବସ୍ତୁତଃ ଲୋପ ପାଇଯିବାକୁ ବସିଲାଣି ।
ବିଲୁପ୍ତ ପ୍ରାୟ ଶାଗୁଣାଙ୍କ ବଂଶରକ୍ଷା ପାଇଁ ଗତ କିଛି ବର୍ଷ ହେଲା ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ହରିୟାନା ପରିବେଶ ମନ୍ତ୍ରଣାଳୟ ଓ ଜଙ୍ଗଲ ବିଭାଗର ସହାୟତାରେ ଚଣ୍ଡୀଗଡ ନିକଟସ୍ଥ ପିଞ୍ଜୋରାରେ ଏକ ଶାଗୁଣା ସେବାକେନ୍ଦ୍ର ପ୍ରତିଷ୍ଠା ହେବା ସହ ପୁନେ ଠାରେ ୨୦୦୧ ମସିହାରେ ‘ଭାରତୀୟ ଶାଗୁଣା ରୋଗ ଅନୁସନ୍ଧାନ କେନ୍ଦ୍ର’ ପ୍ରତିଷ୍ଠା କରାଯାଇଛି । ଲୋପପାଇବାକୁ ବସିଥିବା ଶାଗୁଣା ବଂଶର ସଂରକ୍ଷଣ ପାଇଁ ଜାତୀୟ ଚିଡିଆଖାନା କତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ୨୦୦୮-୦୯ରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ର ଖୋଲାଯାଇଛି । ବିଲୁପ୍ତ ପ୍ରାୟ ଧଳାପିଠିଆ ଶାଗୁଣାଙ୍କ ବଂଶ ରକ୍ଷା ପାଇଁ ୨୦୦୮ ମସିହାରୁ ନନ୍ଦନକାନନର ବଟାନିକାଲ୍‌ ଗାର୍ଡେନ୍‌ ପରିସରରେ ଶାଗୁଣା ପ୍ରଜନନ କେନ୍ଦ୍ର ସ୍ଥାପିତ ହୋଇ ଶାଗୁଣା ବଂଶ ବୃଦ୍ଧି ପାଇଁ ଶାବକ ପାଳନ କରାଯାଇଛି । ବମ୍ବେ ନ୍ୟାଚୁରାଲ୍‌ ହିଷ୍ଟ୍ରି ସୋସାଇଟ୍‌ ଓ ନନ୍ଦନକାନନ କତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ପ୍ରଜନନ କେନ୍ଦ୍ର ଦେଢକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ପୂର୍ବରୁ ଭାରତର ଗୌହାଟି ଓ ପଞ୍ଜୋରରେ ଶାଗୁଣା ପ୍ରଜ୍ୱନନ କେନ୍ଦ୍ର କାର୍ଯ୍ୟ କରୁଛି । ଶାଗୁଣା ବଂଶ ବିଲୁପ୍ତି ଅବସ୍ଥାରେ ପହଞ୍ଚିଥ୍‌ିବାବେଳେ ଏହି ଖବର ପକ୍ଷୀପ୍ରେମୀଙ୍କ ମନରେ ନିରାଶ ଭରି ଦେଇଛି । ଶାଗୁଣା ବଂଶ ସଂରକ୍ଷଣ ପାଇଁ ଜନ ସହଯୋଗ ମିଳିଲେ ଶାଗୁଣାମାନେ ସେମାନଙ୍କ ପୂର୍ବ ସ୍ଥିତିକୁ ଫେରି ଆସିବାକୁ ଏକ ଦଶନ୍ଧି ଲାଗିଯିବ ବୋଲି ଆଶା କରାଯାଉଛି ।
ପ୍ରେମାନନ୍ଦ ପାଣିଗ୍ରାହୀ
ଭୁଷଳ, ଭୁବନ, ଢେଙ୍କାନାଳ
ମୋ-୯୪୩୭୭୨୯୩୮୪

Leave A Reply

Your email address will not be published.