ନୂଆ ସମାଜର ରୂପରେଖ

ଡ଼. ଚୌଧୁରୀ ସଂଯୁୂକ୍ତା ଷଡ଼ଙ୍ଗୀ

ଆସ ଆଉ ଥରେ ବିଚାର କରିବା
ଏ ଧରାକୁ ଏକ ନୂଆ ରୂପ ଦେବା
ମାନବ ସମାଜ ପାଇଁ ଯେ ବିପତ୍ତି
ଜନସଂଖ୍ୟା ମାତ୍ରା ଯାଏ ବଢ଼ି ଅତି
ଶହେ ବର୍ଷ ତଳେ ଦୁଇଶହ କୋଟି
ଦୁଇଗୁଣ ଆଜି ସଂଖ୍ୟା ତା ବଢ଼ିଛି
ଆମେ ଥିଲେ ଦୁଇ ଆମର ବି ଦୁଇ
ଯୋଜନା ଗଲାଣି ବିଫଳ ତ ହୋଇ
ଆଉ ଶହେ ବର୍ଷ ଗଲେ ଜାଣ ବିତି
ଜନମୟ ହେବ ଏହି ସାରାସୃଷ୍ଟି
ଆସ ଆଉ ଥରେ ବସି ବିଚାରିବା
ନୂଆ ରୂପରେଖ ସମାଜକୁ ଦେବା।

ପ୍ରଦୂଷିତ ହୁଏ ଆମ ପରିବେଶ
ଜଙ୍ଗଲ ପାହାଡ଼ ହୋଇଲାଣି ଶେଷ
ସହର ବଢ଼ିଛି ଗ୍ରାମ ହୁଏ ନାଶ
ଲୋଡ଼ୁ ସୁଖ ସିନା ସବୁ ହେବ ଧ୍ୱଂସ
ବଦଳି ଗଲାଣି ଦେଶ ଜଳବାୟୁ
ଯଥା ସମୟରେ ନ ଆସଇ ଋତୁ
କେବେ ହୁଏ ଶୀତ ବର୍ଷା ଅପ୍ରମିତ
ଗ୍ରୀଷମ ପ୍ରବାହ ଚାଲେ ଅବିରତ
ମାନବ ସମାଜ ରହିବାକୁ ସୁସ୍ଥ
ଭାବିଲେ କି ହେବ ନରହି ସତର୍କ
ଆସ ଆଜି ଠାରୁ ହେବା ଜାଗରୂକ
ସମାଜକୁ ଦେବା ନୂଆ ରୂପରେଖ।

ଆଶା କଲେ ବସି ହୁଏ ନାହିଁ କିଛି
ଉତ୍ତମ କର୍ମ ଯେ ଫଳ ଦିଏ ବାଛି
ଛାଡ଼ ହିଂସା ଦ୍ୱେଷ ବାଢ଼ ସ୍ନେହ ପ୍ରୀତି
ଯୁଦ୍ଧ ବିଭୀଷିକା ଯାଉ ଦୂରେ ଘୁଞ୍ଚି
ବଞ୍ଚାଅ ପ୍ରକୃତି ନଆସୁ ବିପତ୍ତି
ଭୁଞ୍ଜିବା ସରବେ ମିଶି ସୁଖଶାନ୍ତି
କରାଳ ପ୍ରକୃତି ନହେବାକୁ କାଳ
ବେଳ ଥାଉ ସିନା ମନେ ବସି ଭାଳ
ଆକାଶ ପବନ ଜଳ ଅଗ୍ନି ମାଟି
ପଞ୍ଚଭୂତେ ଗଢ଼ା ଜୀବନ ଯେଉଁଠି
ଆଗାମୀ ସମୟ ପାଇଁ ବିଚାରିବା
ସମାଜକୁ ଏକ ନୂଆରୂପ ଦେବା।

ଏ ଧରିତ୍ରୀ ବକ୍ଷେ ଆମେ ଶ୍ରେଷ୍ଠ ଜୀବ
ଯାହା ବିଚାରିବା ତାହା ନେବ ରୂପ
ସବୁରି ପାଇଁକି ସମାନ ଚିନ୍ତିବା
ହସିବ ପ୍ରକୃତି ସରବେ ହସିବା
ଜୀବଜନ୍ତୁ ସାଥେ ଉଦ୍ଭିଦ ଜଗତ
ରହୁ ଭାରସାମ୍ୟ ଶାନ୍ତ ଚିତ୍ତେ ଚିନ୍ତ
ନିଜ ଜୀବନକୁ ଭଲ ପାଇ ଶିଖ
ଉତ୍ତମ ସମାଜ ରାଜ୍ୟ ଧରାବକ୍ଷ
ଦୁଃଖଦୁର୍ଦ୍ଦଶାରେ ଜଣେ ବି ନରହ
ସରବେ ଭବନ୍ତୁ ସୁଖୀ ନିରାମୟ
ଆଗାମୀ ସମୟ ପାଇଁ ଏ ଆହ୍ୱାନ
ହେବ ଧରା ପାଇଁ ଶ୍ରେଷ୍ଠ ଅବଦାନ।

Comments are closed.