ବେଆଇନ ଗଛକଟାକୁ ଅଟକାଇଲେ ଏନ୍‌ଜିଟି

କାଟିଦେଇଥିଲେ ୧୦ ହଜାର ଗଛ, ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ସୁନ୍ଦରଗଡ଼ /କୋଇଡା : ଶିଳ୍ପ ପାଇଁ ଖୋଲାଖୋଲି ଭାବେ ଚାଲିଥିବା ବେଆଇନ ଜଙ୍ଗଲ କଟା । ଶେଷରେ ଏହାକୁ ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ- ଏନ୍‌ଜିଟି) ଅଟକାଇଛନ୍ତି । ଏଥିସହ ନିଜର ପକ୍ଷ ରଖିବାଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ବନବିଭାଗର ନିରବତା ଉପରେ ଏବେ ବିରାଟ ପ୍ରଶ୍ନ ଉଠିଛି ? ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖି ଆଗରେ ହଜାର ହଜାର ଗଛ କଟା ଯାଉଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ମଧ୍ୟ ବନ ବିଭାଗ କାହିଁକି କେଣସି ପଦକ୍ଷେପ ଗ୍ରହଣ କରି ନଥିଲା !

ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡା ତହସିଲ ଅନ୍ତର୍ଗତ ବଡ଼ପୁରୁଣାପାଣି ପଞ୍ଚାୟତର କପଣ୍ଡ ଗାଁରେ ଥିବା ଖାତା ନମ୍ବର-୧୧୮, ପ୍ଲଟ ନମ୍ବର-୧୧୦୪ ଓ ୧୧୦୭ର ସମୁଦାୟ ୧୬୭ ଏକର ପରିମିତ ଜମି ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା । ଏହି ଜଙ୍ଗଲକୁ ଲାଗି ବ୍ରାହ୍ମଣୀ ନଦୀ ବହିଯାଇଛି । ଉକ୍ତ ଗାଁର ସବୁ ଲୋକ ପ୍ରାୟତଃ ଆଦିବାସୀ ସଂପ୍ରଦାୟର । ଚାଷବାସ ଭଲ ହୁଏନାହିଁ । ତେଣୁ ସେମାନେ ମୁଖ୍ୟତଃ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ଜୀବନ ବିତାଇଥାନ୍ତି । କି;ୁ ସେହି ଜଙ୍ଗଲ ଥିବା ଜମି ଉପରେ ଏକ ସ୍ପଞ୍ଜ ଆଇରନ୍‌ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାର ‘ଇଡକୋ’ ମାଧ୍ୟମରେ ଜମି ଯୋଗାଇ ଦେଇଛନ୍ତି । ଏ ପ୍ରସଙ୍ଗରେ ବିଗତ ଦିନରେ ଏକ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଜଙ୍ଗଲକୁ ନଷ୍ଟ କରି ଶିଳ୍ପ ପ୍ରତିଷ୍ଠା ହେଲେ ପରିବେଶ ପ୍ରଦୂଷଣ ହେବା ସହିତ ଆଦିବାସୀ ଲୋକଙ୍କ ଭିଟାମାଟି ଓ ଜୀବିକା ହରାଇବା ତଥା ବ୍ରାହ୍ମଣୀ ନଦୀର ପାଣି ପ୍ରଦୂଷିତ ହେବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାସହି ତୀବ୍ର ବିରୋଧ ମଧ୍ୟ କରିଥିଲେ ।

କି;ୁ କିଛିଦିନ ପରେ ଗଛ କାଟିବା ପାଇଁ କୌଣସି ଅନୁମତି ନଥାଇ ମଧ୍ୟ ଉକ୍ତ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀମାନେ ଉକ୍ତ ଜଙ୍ଗଲ ଜମି ଉପରେ ଥିବା ହଜାର ହଜାର ଗଛକୁ ଖୋଲାଖୋଲି ଭାବେ କାଟି ପୋତି ପକାଇଥିଲେ । କଟା ହୋଇଥିବା ଗଛର ସଂଖ୍ୟା ପ୍ରାୟ ୧୦ ହଜାର ହେବ କୁହାଯାଉଛି । ପ୍ରସଙ୍ଗରେ ସ୍ଥାନୀୟ ସମାଜସେବୀ ଚିତ୍ତରଞ୍ଜନ ମହନ୍ତଙ୍କ ସହ ୨୨୩ ଜଣ ସ୍ଥାନୀୟ ବାସିନ୍ଦା ତଥା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଜାତୀୟ ସବୁଜ ପ୍ରାଧିକରଣଙ୍କ ନିକଟରେ ଫେରାଦ ହୋଇଥିଲେ । ଏହାକୁ ଗ୍ରହଣ କରି ପ୍ରାଧିକରଣ ଚାଲିଥିବା ଗଛ କଟା ଓ ପାଚେରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାହା ସହିତ ବେଆଇନ ଗଛ କଟା, ପାଚେରି ର୍ନିମାଣ ଓ ଦରଖାସ୍ତକାରୀମାନଙ୍କ ଅନ୍ୟ ଅଭିଯୋଗ ଉପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହାର ଏକ ସତ୍ୟପାଠ ଡିସେମ୍ବର ୩ ତାରିଖ ଭିତରେ ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Comments are closed.