ଓଡିଆ ପରମ୍ପରାରେ ପବିତ୍ର ମହାଳୟା

ଅମୂଲ୍ୟ କୁମାର ପଣ୍ଡା , ଅରଙ୍ଗାବାଦ, ବରୀ, ଯାଜପୁର

0

ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃପକ୍ଷ ଦିବସ ତଥା ପିତୃପୁରୁଷଙ୍କୁ ପଣ୍ଡିଦାନର ପର୍ବ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କହାଯାଏ । ଚତୁର୍ଦଶୀ ପର୍ଯ୍ୟନ୍ତ ତର୍ପଣ କଲା ପରେ ଅମାବାସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଏହି ପକ୍ଷରେ ଶ୍ରାଦ୍ଧାଦି କର୍ମ ସମସ୍ତ ଓଡିଆମାନେ ନିଜ ଘରେ ଘରେ ଏବଂ ମନ୍ଦିରମାନଙ୍କରେ ତଥା ବିଶେଷ କରି ଶ୍ରୀମନ୍ଦିରର ବାଇଶି ପାହାଚରେ ଏହାକୁ ପାଳନ କରିଥାନ୍ତି । ପିତୃପିତାମହଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଏ । ଶ୍ରଦ୍ଧାରୁ ହୋଇଛି ଶ୍ରାଦ୍ଧ । ଯେତେବେଳେ ମର୍ତ୍ତ୍ୟଲୋକରେ ୧ ବର୍ଷ ହୁଏ, ସେତେବେଳେ ପିତୃଲୋକମାନଙ୍କର ଗୋଟିଏ ଦିନ ହୋଇଥାଏ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଏହି ପକ୍ଷର ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହଯାଏ । ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସ;ୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ ବା ପାର୍ବଣ ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ଏହି ମହାଳୟାକୁ ପିତୃପକ୍ଷ ଅମାବାସ୍ୟା, ମହାଳୟା ଅମାବାସ୍ୟା, ମହାଳୟା ଶ୍ରାଦ୍ଧ, ଫୁଲେରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଯେଉଁ ତିଥିରେ ଆମ ପିତୃଲୋକ ଦେହତ୍ୟାଗ କରିଥାନ୍ତ ଆମେ ସେହି ତିଥିରେ ସେମାନଙ୍କ ପାଇଁ ଶ୍ରାଦ୍ଧାଦି କର୍ମ କରିବା ଉଚିତ । ସେଥିପାଇଁ ଆମେ ଯଦି ସେମାନଙ୍କୁ ଏହିଦିନ ଭୋଜନ ଅର୍ପଣ ନ କରିଥାଉ, ସେମାନେ ଉପବାସ ରହିଥାନ୍ତି । ସେହି କାରଣରୁ ବର୍ଷକୁ ଗୋଟିଏ ଦିନ ଆମେ ଶ୍ରାଦ୍ଧ ଦେଇଥାଉ । ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ତାହା ଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢିର ସମସ୍ତ ପ୍ରକାର ଉନ୍ନତି ହେଉଥିବା ହିନ୍ଦୁ ପରମ୍ପରାରେ ବିଶ୍ୱାସ ।

ପୌରଣିକ କିମ୍ବଦନ୍ତୀ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତୁ୍ୟ ପରେ ତାଙ୍କ ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା କି;ୁ କିଛି ଖାଦ୍ୟ ଦିଆଗଲାନାହିଁ । କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇ ନ ଥିଲେ । ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ ତାଙ୍କୁ ଚଉଦ ଦିନ ପାଇଁ ମର୍ତ୍ତମଣ୍ଡଳକୁ ପଠାଯାଇଥିଲା । ସେହି ଚଉଦ ଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବଙ୍କୁ ଅନ୍ନଦାନ ଦେଇଥିଲେ । ଫଳସ୍ୱରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା । ମର୍ତ୍ତଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ପିତୃପକ୍ଷ ଥିଲା । ଉକ୍ତ ପୌରାଣିକ କଥାବସ୍ତୁ ଅନୁସାରେ ତଥା ସନାତନ ଧର୍ମ ଓ ବୈଦିକମତେ ଏ ପିଣ୍ଡଦାନ ପ୍ରଥା ଚାଲିଆସୁଛି । ଆଜିର ଏହି ଦିନରେ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ । ଏହି ପିଣ୍ଡଦାନ ଦ୍ୱାରା ପିତୃତଥା ମାତାଙ୍କ ସହ ତିନିପୁରୁଷ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ଏପରିକି ମାମୁଁଘରର ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ ଓ ପୂଜନ କରାଯାଇଥାଏ । ପିଣ୍ଡଦାନ ଓ ଶ୍ରାଦ୍ଧ ତଥା ତିଳତର୍ପଣର ବ୍ୟବସ୍ଥା କେଉଁ କାଳରୁ ଚାଲିଆସିଥିବା ବେଳେ ମହାଳୟା ଅବସରରେ ନିଜ ଘରେ ପଞ୍ଚପୁଷ୍କରିଣୀ ଓ ମହୋଦଧିରେ ପିଣ୍ଡଦାନ କରି ନିଜକୁ ଧନ୍ୟ ମନେ କରିଥାନ୍ତି । ତର୍ପଣ ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତା, ପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳ ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି ବୋଲି ଆମ ହିନ୍ଦୁ ପରମ୍ପରାରେ ବିଶ୍ୱାସ ରହିଛି । ମହାଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ନାଗଗଣ, ଯକ୍ଷ, ପିଶାଚ, ବନସ୍ପତି, ଔଷଧ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଏବଂ ପଞ୍ଚଶିଖ ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଗୃହରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ ।

ମୋବାଇଲ – ୯୯୩୮୯୦୬୦୭୦

Leave A Reply

Your email address will not be published.