ମା’ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାର ନିଷ୍ପତ୍ତି ପାଇଁ ୨ ଦିନ ସମୟ ମାଗିଲେ ସରକାର

0

ଭୁବନେଶ୍ୱର: ସେପ୍‌ଟେମ୍ବର ୮: ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ଟୁଇନସିଟିର ପୂଜା କମିଟିଙ୍କ ବିରୋଧ ପରେ ସରକାର ଏହା ଉପରେ ଦୃଷ୍ଟି ଦେଇଛନ୍ତି । ଏଥିପାଇଁ ସରକାର ଦୁଇ ଦିନ ସମୟ ମାଗିଛନ୍ତି ବୋଲି କଟକ ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି । ସରକାର ଏହି ସମସ୍ୟାକୁ ସକାରତ୍ମକ ଭାବେ ଗ୍ରହଣ କରିବା ସହିତ ପୂଜାପାର୍ବଣରେ ଲାଗୁ ହେବାକୁ ଯାଉଥିବା କୋଭିଡ କଟକଣା ନିୟମକୁ କୋହଳ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ନେଇ କଟକରେ ରାଜନୀତି ବେଶ୍‌ ସରଗରମ ହୋଇଉଠିଛି । ଦୁଇ ବିରୋଧୀ ଦଳ ସରକାରଙ୍କ ଏହି ନୀତିକୁ ଜୋର୍‌ଦାର ବିରୋଧ କରିଛନ୍ତି । ଏହିପରିକି ଭୁବନେଶ୍ୱରର କିଛି ପୂଜା କମିଟି ମଧ୍ୟ ପୋଲିସ କମିଶନରଙ୍କୁ ଭେଟି ନିଜ ଦାବି ବିଷୟରେ ଜଣାଇଛନ୍ତି । ସରକାରଙ୍କ ଏହି ପୂଜାପାର୍ବଣ କଟକଣାକୁ ବିରୋଧ କରି ବିଜେପି ଆସନ୍ତା ୧୩ ତରିଖ ଦିନ କଟକରେ ବନ୍ଦ ଡ଼ାକରା ଦେଇଛି । ଆଗକୁ ନିୟମ ପରିବର୍ତ୍ତନ ନହେଲେ ଭୁବନେଶ୍ୱର ବନ୍ଦ ହେବ ବୋଲି କିଛି ପୂଜା କମିଟିଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସବୁ ସମସ୍ୟାକୁ ଧ୍ୟାନରେ ରଖି ଆଜି ରାଜ୍ୟ ସରକାର ଓ କଟକ ପୂଜା କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ସହିତ ମଣ୍ଡପ ଆବଦ୍ଧ ପୂଜା ଓ ଭକ୍ତଙ୍କ ଦର୍ଶନ ନିମନ୍ତେ ହୋଇଥିବା ନିୟମର ପରିବର୍ତ୍ତନ ବିଷୟରେ ଆଲୋଚନା ହୋଇଯାଇଛି । ଉକ୍ତ ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟିର ମୁଖ୍ୟ ସଦସ୍ୟ, ଶାସନ ସଚିବ ଏବଂ ଏସ୍‌ଆର୍‌ସି ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ, ଲୋକସଭା ଭବନରେ ଏହି ସମସ୍ୟାକୁ ଉଭୟ ବିରୋଧୀ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଛି ।

Leave A Reply

Your email address will not be published.