କାହିଁ ଗଲା ହଜି ମାଟିର ମହକ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

କାହିଁ ଗଲା ହଜି ସତେ ସେ ମାଟିର ମହକ
ଏମାଟିରେ ଯେ ଜନମେ
ନ ମଣେ ନିଜ ଭାଗ୍ୟ ଟେକ
ସେ ମୁଲକେ ନାହିଁ ଆଜି ଶାନ୍ତି ଅବା ସୁଖ
ଅବିଶ୍ୱାସ ଅନାଦର ବଢେ ଛଳନା କପଟ।

କେତେ ଯେ ମହତଜନ ଜନମି ଯେଉଁଠି
ପରହିତେ ଜୀବନକୁ ରଖିଥିଲେ ବାଜି
ସେ ଗାଁ ମାଟି ଆଜି ଲାଗେ ସଭିଙ୍କୁ ଯେ ପିତା
ମାତୃଭୂମି ମାତୃଭାଷା ମାଆ ବାପା କଥା।

ସ୍ନେହ ଆଦର କାହାକୁ ନ ପାରନ୍ତି ଦେଇ
ଆପଣାର ନୁହେଁ କେହି ସ୍ୱାର୍ଥ ବଡ଼ ଭାଇ!
ପୋଥି ପୁରାଣ କଥାକୁ ମଣିଛନ୍ତି ମିଛ
ନୀତିଉପଦେଶ ଶ୍ରୁତିକଟୁ, ବଡ଼ ତିକ୍ତ।

ବାଟଘାଟେ ନାରୀ ଆଜି ନପାରଇ ଚାଲି
ପର କିଏ ଆପଣାର ନ ହୁଅନ୍ତି ବାରି
ଯେଉଁ ଦେଶେ ମାତୃଜାତି କେତେ ଯେ ଆଦର
ଆଜି ପାଶୋରିଲେ କିଆଁ ଏତେ ଅନାଦର।

ଜାୟା,ଭଗିନୀ, ଜନନୀ ସ୍ନେହର ମୂରତି
ଅକାତରେ ସ୍ନେହ ପ୍ରେମ ଅଜାଡ଼ି ଦିଅନ୍ତି
ପ୍ରତିଦାନେ ଏସମାଜ କି ଦେଇଛି କହ
ମାତୃ ଗର୍ଭେ କନ୍ୟାଶିଶୁ ଆଜି ଅବାଞ୍ଛିତ।

ନାଶିବାକୁ ମାତୃଜାତି ସତେ କି ସଂକଳ୍ପ
ଦାନବ କି ଜନମିଛି ନେଇ ଶତ ରୂପ
ପରିବାରେ କନ୍ୟାଶିଶୁ ନୁହେଁ ସୁରକ୍ଷିତ
ବାହାରେ ମଦ୍ୟପ ସଂଖ୍ୟା ନୁହଁଇ କଳିତ।

କାମନା ଜଡ଼ିତ ସର୍ବେ ହେବେ ଯଦି ଏଠି
ସଂସାର ରଥ କି ଏକ ଚକେ ଯିବ ଗଡ଼ି
ପ୍ରଗତି ରଥ ଯେ ଦୁଇ ଚକ ସାଥେ ଚାଲେ
ନାରୀ ପୁରୁଷ ଉଭୟେ ଚାଲନ୍ତି ସମତାଳେ।

ନାରୀଜାତି ଯଥା ମାନ୍ୟ ପାଉ ଏସଂସାରେ
ଶିଶୁକନ୍ୟାଟିଏ ବଢୁ ସ୍ନେହ ସମାଦରେ
ଏମାଟିକୁ ନେଇ ଗର୍ବ ଥାଉ ତା ମନରେ
ସେ ହସିଲେ ସୁଖ ବାଣ୍ଟେ ସାରା ସଂସାରରେ।

ସେ ଜନନୀ ସେ ଭଗିନୀ ଜାୟା ରୂପେ ଉଭା
ସ୍ନେହ ପ୍ରେମ ବାଣ୍ଟିବାରେ କରେ ନାହିଁ କୁଣ୍ଠା
ଏଧରଣୀ ହେବ ସ୍ୱର୍ଗ ବଇକୁଣ୍ଠ ସମ
ମାତୃଜାତି ପ୍ରତି ହୃଦେ ରଖ ଯଥାମାନ୍ୟ।

ମାତୃଜାତି ନ ରହିଲେ ରହିବ କି? ସୃଷ୍ଟି
କିଏ ନ ଜାଣେ ଏକଥା ବିମୁଖ ଏ ଜାତି
ମାଆଟିଏ ଲୋଡ଼ା ସିନା ପ୍ରତି ଶିଶୁ ପାଇଁ
ଈଶ୍ୱରଙ୍କ ପ୍ରତିରୂପ ମାଆ ମମତାମୟୀ।

ସରଗଠୁ ବଡ଼ ବୋଲି ମାନି ନିଏ ଯେହୁ
ଜୀବନ ଯୁଦ୍ଧରେ ଜିତେ ମହାବୀର ସେହୁ
ରାମାୟଣ ଗୀତା ଭାଗବତ ଇତିହାସ
ଗାଇଛି ଏଗାଥା ଯାହା ଯୁଗେ ଯୁଗେ ସତ୍ୟ।

Comments are closed.