ଜୀବନ ସଉଦା

ଡ଼ ଚୈାଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ଜୀବନର ମୂଲ କଷାକଷି ଏଠି ଦୁନିଆଦାରୀର ହାଟେ
ଜୀବନର ମୂଲେ; କିସ ଲୋଡ଼ା ତୁମ
କୁହାଟ ଛାଡ଼ନ୍ତି ଭାଟେ
ଜୀବନର ମୂଲ ବୁଝିବା ଆଗରୁ ସଉଦା କରିବି ଭାବି
ହେଲି ଆଗୁସାର କିବା କାରାବାର;
ଅଛି ଲାଭ ଅବା କ୍ଷତି
ସୀମନ୍ତିନୀ କୋଳେ ସନ୍ତାନ ବସିଛି ଯାଉଥିଲା ସେହି ବାଟେ
ଶୁଣିଲା କ୍ଷଣିକେ, ଜୀବନ ଗୋଟିଏ ସଉଦା କରିଲେ
ମିଳିଯିବ ସୁଖ ହାଦେ।
ବାଳୁତ ସନ୍ତାନ ଟେକି ଦେଲା ସେହୁ
କିଛି ସୁଖ ଆଶା ମନେ
ରୋଗଣା ସ୍ୱାମୀ ତା ଓଷୁଅ ନଖାଇ
କତରା ଛାଡ଼ୁନି ଦିନେ
ପେଟ ଭୋକ କଥା କିଏ ବା ଜାଣିବ
‘ଦିଟଙ୍କା’ ଚାଉଳକୁ ନାହିଁ ଡାଲି
ଶୁଖିଲା ଭାତରୁ ଗୋଟେ ଗୋଟେ ଖାଏ
ଭୋକେ ପେଟ ଦେଲେ ରଡ଼ି।
ପିଲା ଯାଉ କୋଳୁ ସୁଖ ଯେ ଭୁଞ୍ଜିବ
ଖାଇବ ମୁଠିଏ ପେଟେ
କେତେ ଦିନ ଆଉ ଦୁଃଖର ଦାଉରେ
ଛଟପଟ ହେବ ସତେ।
ସଉଦା ହୋଇଲା ଜୀବନ ଯାହାର
ବୁଝେ କି ଜୀବନ ମୂଲ
ମସୀ ନ ଧରିଲା ଅସୀ ଚଳାଇଲା
ପ୍ରାଣ ସଂହାରେ ଆଗୁସାର।
ଖାଇବାକୁ ତାକୁ ନ ମିଳେ ଯେଉଁଠି
ଭାତ ଡାଲି ତରକାରୀ
ସହଜେ ମିଳୁଛି ବନ୍ଧୁକ ବାରୁଦ
ପେଟି ପେଟି ଭରା ଗୁଳି।
ସ୍ନେହ ପ୍ରେମ କଥା ଅବୁଝା ମଣିଲା
ରୁଧିରେ ଖେଳିଲା ହୋରି
କାହାରି ଜୀବନ ଅମୂଲ୍ୟ ନ ମଣେ
ଜାଣିଛି ସଉଦାଗିରୀ।
ସେ ଜାଣିଲା ଏଠି ମାଗିଲେ ନ ମିଳେ
ଦୁଃଖୀ ଥାଳେ ମୁଠେ ଭିକ
ଯେ ପିନ୍ଧିଛି ଭେକ ଭିକ ସେ ପାଇବ
ମାଗିବା କି ଆବଶ୍ୟକ।
ନିଜ ରକ୍ତେ ଚିଠି ଲେଖି ପଠାଇଛି
ଦାବୀ ନହେଲେ ପୂରଣ
ଲାଲ ବାହିନୀର ଭେକ ସେ ପିନ୍ଧିଛି
ନ ଜାଣେଟି ଭଲମନ୍ଦ।
ଜୀବନ ସଉଦା ନକରି ଫେରିଲି
ଜୀବନର ମୂଲ ବୁଝି
ସ୍ନେହ ପ୍ରେମ ମନ୍ତ୍ର ପାଠ ନଜାଣିଲେ
ଜୀବନର କାହିଁ ଗତି।
ଅହିଂସାର ମନ୍ତ୍ର ପଢ଼ିବା ପୂଜାରୀ
ଖୋଜୁଛି ମୁଁ ବାଟେ ଘାଟେ
ଠିକଣା ତା’ର ଖୋଜିଲେ ପାଉନି
ଦୁନିଆଦାରୀର ହାଟେ।

Comments are closed.