ଜୀବନ ସଂଗୀତ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ଏଇ ମୋ ଭାରତ ଦେଶ
ସୁନାର ଏ ଦେଶେ କେତେ ଋଷି ମୁନି
ଯାଇଛନ୍ତି ରଚି ପୁରାଣ କାହାଣୀ
ପ୍ରାଚୀନ ସଂସ୍କୃତି ଅମଳିନ କୀର୍ତ୍ତି
ଭରା ନୀତି ଧର୍ମ ଉପଦେଶ।

ଜୀବନ ସଂଗୀତ ଗାଇ ମହାକବି
କିଣିଛନ୍ତି ହୃଦ ବତାଇଣ ବିଧି
ଯେ ଶିଖିଛିି ନୀତି ମଧୁ ଆଚରଣ
ସ୍ନେହ ଶାନ୍ତି ପ୍ରୀତି ଅମୃତ ଜୀବନ
ସେହି ପିଇଛି ପୀୟୂଷ ରସ।

ଭୁଲି ଆତ୍ମ ସୁଖ ଜଗାଅ ବିବେକ
ସେବ ମାତାପିତା ନ ହୁଅ ବିମୁଖ
ଯା’ କୋଳେ ଜନମି ଦେଖିଲ ସଂସାର
ସେହି ପିତାମାତା ସାକ୍ଷାତ ଈଶ୍ୱର
ମୁଖେ ଦିଅ ତାଙ୍କ ମଧୁ ହାସ।

ସନ୍ତାନର ସୁଖେ ଥାଏ ତାଙ୍କ ସୁଖ
ଅର୍ଜି ଉଜାଡ଼ନ୍ତି ନ ଦେଖନ୍ତି ଦୁଃଖ
ବୃଦ୍ଧକାଳେ ତାଙ୍କ ହେବା ପାଇଁ ସାହା
ସ୍ୱପ୍ନ ଦେଖି ସହିଥାନ୍ତି ଦୁଃଖ ଯାହା
ଏଇ ମାତ୍ର ତାଙ୍କ ଏକ ଆଶ।

ଶ୍ରବଣ କୁମାର ଅମର କାହାଣୀ
ମନେ ମନେ ସଦା ହେଉଥାଅ ଗୁଣି
ପିତା ସ୍ୱର୍ଗ ମାତା ସରଗରୁ ବଡ଼
ତାଙ୍କ ଆଶୀର୍ବାଦ ତୁହି ସଦା ଲୋଡ଼
ଯେବେ ଲଭିବୁ ଶାନ୍ତି ସନ୍ତୋଷ।

ଯେହୁ ଭୁଲିଥାଏ ମାତା କି ପିତାକୁ
ସୁଖ ଲଭିବାକୁ ପୂଜଇ ଦିଅଁକୁ
ପାଏ ନାହିଁ ସୁଖ ନିନ୍ଦଇ ଭାଗ୍ୟକୁ
କଲା କର୍ମଫଳ ଭୋଗଇ ପଛକୁ
ସେହୁ ଜୀବନ ମଣଇ ବିଷ।

ରଖ ବଡ଼଼ପଣ ତୁମ ମହାପ୍ରଭୁ
ଛୋଟ ପଣେ ମାଗି ଭୋଗଇ ଦୁଃଖକୁ
କାହା ଆଗେ କହିବି ନାହିଁ ମୋ ଭରସା
ତୁଟାଇବ ତୁମେ ନଥିଲା ମୋ ଆଶା
ଜଗତ ହସିବ ତୁମ କଳପନା
କେଉଁ ବଡ଼ପଣ ଜାଣି ମୁଁ ପାରେନା
ଅହର୍ନିଶ ଚିନ୍ତେ ଏକଥାକୁ।

ଜାଣିଥିଲି ତୁମେ ମହାକଳ୍ପଦାନୀ
ତୁଟାଇଲ ଆଶା ହେଲି ହୀନିମାନୀ
ଭକତ ପଣରେ ନପାରିଲି କିଣି
ମାଗି ହଟହଟା କେତେ ଯେ ହେଲିଣି
ଅଣାୟତ୍ତ ହେଲା ସହିବାକୁ।

ଯେ ନ ଚିହ୍ନିଲା ନିଜ ମାଆ ମନ
ସେ କି ଜାଣିବ ଭକତ ପରାଣ
କଷି କଷାଉଛ ଆନନ୍ଦ ମଣୁଛ
ଦୁଃଖ ଅନଳରେ ପରାଣ ଦହୁଛ
ନିଅ ତୋଳି ଡାକେ ଟେକିବାହୁ।

Comments are closed.