ମହାରାଷ୍ଟ୍ରର ମାରାଥନ ଲେଡି

0

ମହାରାଷ୍ଟ୍ର: ସେପ୍‌ଟେମ୍ବର ୧୧: ଯେପରି ଭାବେ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କ ପ୍ରାଣକୁ ଯମରାଜଙ୍କଠାରୁ ଛଡ଼ାଇ ଆଣିଥିଲେ, ସେହିପରି ଭାବେ ମହାରାଷ୍ଟ୍ରର ଜଣେ ମହିଳା ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ପ୍ରତି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଦେଖାଇଛନ୍ତି । ପରିଣତ ବୟସରେ ଯେଉଁଠି ଲୋକମାନେ ଚାଲିବା ପାଇଁ କଷ୍ଟ କରିଥାନ୍ତି, ସେହି ବୟସରେ ୬୦ ବର୍ଷୀୟା ଲତା ଖରେ ଶାଢୀ ପିନ୍ଧି ଏକ ମାରାଥନରେ ଭାଗନେଇଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । ରିପୋର୍ଟ ଅନୁଯାୟୀ ୨୦୧୪ରେ ମହାରାଷ୍ଟ୍ରର ଲତା ଖରେଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ଚାଷ କାମ କରି ପରିବାର ପୋଷୁଥିବା ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ଲତା ଖେର ଭାଙ୍ଗିପଡ଼ିଥିଲେ । ହେଲେ ସେ ଚିକିତ୍ସା ପାଇଁ ମାତ୍ର ୫ ହଜାର ଟଙ୍କା ମଧ୍ୟ ଯୋଗାଡ଼ କରିପାରିନଥିଲେ । ଏମଆରଆଇ ସ୍କାନ ପାଇଁ ୫ ହଜାର ଟଙ୍କା ଆବଶ୍ୟକତା ଥିଲା । ଏତେ ମୋଟ ଅଙ୍କର ଟଙ୍କା କେମିତି ଯୋଗାଡ଼ କରିବେ ସେନେଇ ସେ ଚିନ୍ତାରେ ପଡ଼ିଥିଲେ । ଏହାରି ମଧ୍ୟରେ ଗାଁ ନିକଟରେ ମାରାଥନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ଖବର ପାଇଥିଲେ ଲତା ଏବଂ ପ୍ରଥମ ବିଜୟୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ହେଲେ ଖେଳ, ଦୌଡ଼ ଏବଂ ମାରାଥନ ସମ୍ପର୍କରେ ଅବଗତ ନଥିବା ସତ୍ତେ୍ୱ ଲତା ମାରାଥନରେ ଭାଗ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଶାଢୀ ଏବଂ ଚପଲ ପିନ୍ଧି ମାରାଥନ ଦୌଡ଼ରେ ସାମିଲ ହୋଇଯାଇଥିଲେ । ଦୌଡ଼ୁଥିବା ସମୟରେ ମଝିରେ ଲତାଙ୍କ ଚପଲ ଛିଣ୍ଡିଯାଇଥିଲା , କିନ୍ତୁ ଧୈର୍ଯ୍ୟର ସହ ଲତା ନଅଟକି ପୁଣି ଥରେ ଦୌଡ଼ିଥିଲେ ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ପୁରସ୍କାର ରାଶିରେ ସ୍ୱାମୀଙ୍କ ଚିକିତ୍ସା କରାଇଥିଲେ । ଏହାପରେ ଲତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି ଏବଂ ଆଖପାଖରେ ହେଉଥିବା ଗଣଦୌଡ଼ ପ୍ରତିଯୋଗିତାରେ ଲତା ଏବେ ଭାଗ ନେଉଛନ୍ତି ।

Leave A Reply

Your email address will not be published.