ଅମ୍ମା ଶେଖଙ୍କ ପଢ଼ା ନିଶା

0

ମୁମ୍ବାଇ: ସେପ୍‌ଟେମ୍ବର ୧୫: କରୋନା ସମୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାମାଜିକ ଦୂରତା ଭଳି ଶବ୍ଦ ସାଧାରଣ ଶବ୍ଦରେ ପରିଣତ ହୋଇଛି । ସେହିଭଳି ଲକ୍‌ଡାଉନ୍‌ ଅନେକଙ୍କ ଜୀବନରେ ଭିନ୍ନ ପ୍ରକାରର ପ୍ରଭାବ ପକାଇଛି । ଅନେକଙ୍କର ଜୀବିକା ବୁଡିଥିବା ବେଳେ ଅନେକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି । ସେସବୁ ମଧ୍ୟରେ ଅନେକ ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଦରକାରୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । ସେହିଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି । ମୁମ୍ବାଇରେ ଅମ୍ମା ଶେଖଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅମ୍ମାଙ୍କ ପିତା ଏକ ଜୁସ୍‌ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ହେଲେ କରୋନା ସମୟରେ ତାଙ୍କର ଜୁସ୍‌ ଦୋକାନ ବନ୍ଦ ହୋଇଯିବାରୁ ପୂରା ପରିବାର ପାଇଁ ଅସୁବିଧା ଆରମ୍ଭ ହୋଇଥିଲା । ଏଭଳି କି ସେମାନଙ୍କୁ ନିଜ ଘର ହରାଇବାକୁ ପଡିଥିଲା । ତେବେ ଏହାର ପ୍ରଭାବ ଅମ୍ମାଙ୍କର ପାଠ ପଢିବାକୁ ଥିବା ଇଚ୍ଛାଶକ୍ତି ଉପରେ ପଡିନଥିଲା । ସେ ରାସ୍ତା ଉପରେ ମଧ୍ୟ ନିଜ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ତାଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବାପରେ ତାଙ୍କୁ ସାହାଯ୍ୟ ମିଳିବା ଆରମ୍ଭ ହୋଇଥିଲା । ତେବେ ଅମ୍ମାଙ୍କ ଫଟୋ ନେଟ୍‌ରେ ଭାଇରାଲ କରିବା ପଛରେ ଥିଲେ ସ୍ପେନ୍‌ର ଜର୍ମନ ଫର୍ଣ୍ଣାଡିଜ୍‌ । ତାଙ୍କର ପୋଷ୍ଟ ଭାଇରାଲ ହେବାପରେ ଅମ୍ମାଙ୍କ ପାଖକୁ ପ୍ରାୟ ୧.୨ ଲକ୍ଷର ସାହାଯ୍ୟ ପହଞ୍ଚିଥିଲା । ସେହିଭଳି ଏକ ଏନ୍‌ଜିଓ ଅମ୍ମାଙ୍କ ପାଠ ପଢାପାଇଁ ପ୍ରତିମାସରେ ତିନି ହଜାର ଟଙ୍କାର ସହାୟତା ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ସାହାଯ୍ୟ ପାଇବା ପରେ ଅମ୍ମା ନିଜର ଖୁସି ପ୍ରକାଶ କରିବା ସହିତ ଆଗକୁ ଆହୁରି ମନ ଲଗାଇ ପାଠ ପଢିବେ ବୋଲି କହିଛନ୍ତି । ସେ ତାଙ୍କୁ ସାହାଯ୍ୟ କରିଥିବା ସମସ୍ତଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.