ମାନବ ନିର୍ମିତ ଜଙ୍ଗଲ

ଛତିଶଗଡ଼: ସେପ୍‌ଟେମ୍ବର ୧୮: ପରିବେଶ ପାଇଁ ଜଙ୍ଗଲର ମୂଲ୍ୟ ଢେର ଅଧିକା । ହେଲେ ବର୍ତ୍ତମାନ ଜଙ୍ଗଲର ଅଭାବ ପୃଥିବୀର ସବୁ ସ୍ଥାନରେ ପରିଲକ୍ଷିତ ହେଉଛି । ଯେଉଁଥିପାଇଁ ବିଭିନ୍ନ ସଙ୍ଗଠନଙ୍କ ସହ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଭାରତରେ ମଧ୍ୟ ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଛତିଶଗଡ଼ରେ ଜଙ୍ଗଲର ଅଭାବକୁ ଦୂର କରିବା ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ନନ୍ଦିନୀ ଖଣିରେ ଖାଲି ପଡିଥିବା ପ୍ରାୟ ୮୮୫ ଏକର ଯାଗାରେ ମାନବ ନିର୍ମିତ ଜଙ୍ଗଲ ସୃଷ୍ଟି କରାଯାଉଛି । ଏହା ଭାରତର ସବୁଠାରୁ ବଡ ମାନବନିର୍ମିତ ଜଙ୍ଗଲ । ଏହାପଛର ଉଦ୍ଦେଶ୍ୟ କିଭଳି ଶୁଷ୍କ ଖଣି ଅଞ୍ଚଳକୁ ସୁନ୍ଦର ସବୁଜ ପରିବେଶରେ ପରିଣତ କରାଯାଇପାରିବ । ଏଠାରେ ଫଳ, ଔଷଧୀୟ ବୃକ୍ଷ ଲଗାଯିବାର ଲକ୍ଷ ରହିଛି । ଏହାଫଳରେ ପ୍ରଦୂଷଣକୁ ମଧ୍ୟ ନିୟନ୍ତ୍ରଣ କରିହେବ । ୩.୩୦କୋଟିର ଏହି ପ୍ରକଳ୍ପ ୧୭ କିମି ପରିଧିରେ ବ୍ୟାପିଛି । ଏଠାରେ ବିଭିନ୍ନ ପ୍ରକାରର ଗଛ ରହିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୮୩,୦୦୦ଗଛ ଲଗା ସରିଛି । ପୂରା କ୍ଷେତ୍ରକୁ ଆଗାମୀ ୩ବର୍ଷ ଭିତରେ ଏକ ବୃହତ୍ତର ଜଙ୍ଗଲରେ ପରିଣତ କରାଯିବାକୁ ଲକ୍ଷ ରଖାଯାଇଛି । ଏଠାରେ ଏଭଳି ଗଛ ଲଗାଯିବ ଯାହାର ଜୀବନକାଳ ଅଧିକ, ଯେପରି ଅଶ୍ୱସ୍ଥ, ବର ଗଛ, ହରିଡା, ବାହାଡା ଆଦି । ଏହି ପ୍ରୋଜେକcରେ ପକ୍ଷୀଙ୍କ ପାଇଁ ମଧ୍ୟ ବେଶ୍‌ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ପକ୍ଷୀଙ୍କ ପାଇଁ ଏଠାରେ ଏକ ପାର୍କ ନିର୍ମାଣ କରାଯିବ । ସେହିଭଳି ଏହାକୁ ପର୍ଯ୍ୟଟନ ସ୍ଥଳୀଭାବେ ମଧ୍ୟ ବ୍ୟବହାର କରାଯିବ । ଏଠାରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହି ପ୍ରକଳ୍ପଟି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ।

Comments are closed.