ମହିଳାଙ୍କୁ ସାନିଟାରୀ ପ୍ୟାଡ଼ ବାଣ୍ଟିଲେ ଦୂତୀ ଚାନ୍ଦ

ସମୟ ଲାଇଭ,୧୩/୫: କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଲକ୍‍ ଡ଼ାଉନ ଜାରି ରହିଛି। ଅଭାବୀ ମଣିଷଙ୍କ ଆବଶ୍ୟକତା ପୂରଣ ପାଇଁ ଅନେକ ବ୍ୟକ୍ତି ସହାୟତାର ହାତ ବଢ଼ାଉଛନ୍ତି। ଏଥିରେ ଖେଳ ଜଗତ ମଧ୍ୟ ବାଦ ପଡ଼ିନାହିଁ। ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଅର୍ଜନ କରୁଥିବା ଅନେକ ଖେଳାଳି ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଅନନ୍ୟ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି।
ତେବେ ଓଡ଼ିଶା ମାଟିର ସୁକନ୍ୟା ସ୍ପ୍ରିଣ୍ଟ କୁଇନ୍‍ ଦୂତୀ ଚାନ୍ଦ ମଧ୍ୟ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ରିଲିଫ୍‍ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଅତ୍ୟାବଶ୍ୟକୀୟ ଖାଦ୍ୟପଦାର୍ଥ ସହ ସେ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼୍‍ ବାଣ୍ଟି ଛନ୍ତି ଦୂତୀ।
ନିଜେ ଘରକୁ ଘର ବୁଲି ଖାଦ୍ୟ ପଦାର୍ଥ ବାଣ୍ଟିବା ସହ ମହିଳାଙ୍କ ପାଇଁ ଜରୁରୀ ନାପକିନ୍‍ ମଧ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ସାନିଟାରୀ ନାପକିନ୍‍ ପାଇବାରେ ମହିଳାମାନେ ଅସୁବିଧାରେ ପଡ଼ୁଛନ୍ତି। ପୁରୁଷଙ୍କ ଦ୍ୱାରା ଏହି ଜିନିଷ ବଜାରରୁ ବରାଦ କରିବା ପାଇଁ ଅନେକ ମହିଳା ସଙ୍କୋଚ ମଧ୍ୟ କରିଥା’ନ୍ତି। ଏପରି ପରିସ୍ଥିତିରେ ମହିଳାଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ରହିବା ଜରୁରୀ ବୋଲି ଦୂତୀ କହିଛନ୍ତି।

Comments are closed.