କୋଲକାତାରେ କେମିତି କରନ୍ତି ଦୁର୍ଗାପୂଜା

ନବରାତ୍ରି ବା ଦୁର୍ଗାପୂଜା ସମୟ ଆସିଲେ ଦେଶର ବିଭିନ୍ନ ପ୍ରାନ୍ତରେ ଗହଳ ଚହଳ ଆରମ୍ଭ ହୋଇଯାଏ । ଦେଶର ବିଭିନ୍ନ ସ୍ଥାନରେ ବେଶ୍‌ ଜାକଜମକରେ ଦୁର୍ଗା ପୂଜା ପାଳନ କରାଯାଇଥାଏ । ହେଲେ କୋଲକାତାରେ କିଛି ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରାଯାଇଥାଏ । ବେଶ୍‌ ନିଆରା ଓ ଶ୍ରଦ୍ଧାର ସହ ଏଠିକାର ଲୋକ ଦୁର୍ଗାପୂଜା ପାଳନ କରିଥାଆନ୍ତି । ବିଭିନ୍ନ ସ୍ଥାନରେ ବଡବଡ ପେଣ୍ଡାଲ୍‌ରେ ପୂଜା ପାଇଥାଆନ୍ତି ମା’ ଦୁର୍ଗା । ଆସନ୍ତୁ ଜାଣିବା ଏଠାରେ ପାଳନ ହେଉଥିବା ବିଭିନ୍ନ ପ୍ରଥା ସମ୍ଭନ୍ଧରେ…
ଦେବୀ ପ୍ରତିମା : କୋଲକାତାରେ ନବରାତ୍ରୀ ସମୟରେ ଦୁର୍ଗାଙ୍କର ମହିଷା ମର୍ଦ୍ଦିନୀ ରୂପକୁ ପୂଜା କରାଯାଇଥାଏ । ଦୁର୍ଗାଙ୍କ ସହିତ ଅନ୍ୟ ଦେବୀ ଦେବତାଙ୍କର ମୂର୍ତ୍ତି ମଧ୍ୟ ଏହି ସମୟରେ ପୂଜା ପାଇଥାଆନ୍ତି । ଦୁର୍ଗାଙ୍କ ସହିତ ଅନ୍ୟ ଦେବଦେବୀଙ୍କର ମୂର୍ତ୍ତି ମଧ୍ୟ ଏହି ସମୟରେ ଗଢାଯାଇଥାଏ । ଏହି ପ୍ରସ୍ତୁତିକୁ ସ୍ଥାନୀୟ ଭାଷାରେ ‘ଚାଲା’ କୁହାଯାଇଥାଏ ।

ଚକ୍ଷୁ ଦାନ : କୋଲକାତାରେ ପ୍ରଚଳିତ ବିଭିନ୍ନ ପରମ୍ପରା ମଧ୍ୟରେ ଚକ୍ଷୁଦାନ ପରମ୍ପରା ସବୁଠାରୁ ପୁରୁଣା । ଚକ୍ଷୁଦାନ ସମୟରେ ଦୁର୍ଗାଙ୍କ ମୂର୍ତ୍ତିରେ ଚକ୍ଷୁ ପ୍ରସ୍ତୁତ କରାଯାଇଥାଏ । ଚାଲା ପ୍ରସ୍ତୁତ କରିବା ପାଇଁ ୩ରୁ ଚାରି ମାସ ସମୟ ଲାଗିଥାଏ । ଏହାପରେ ମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଥାଏ ।

ଅଷ୍ଟମୀର ମହତ୍ତ୍ୱ : କୋଲକାତାରେ ଅଷ୍ଟମୀଦିନ ଅଷ୍ଟମୀ ପୁଷ୍ପାଞ୍ଜଳି ପର୍ବ ପାଳନ କରାଯାଇଥାଏ । ଏହି ଦିନ ଦୁର୍ଗାଙ୍କୁ ଫୁଲ ଅର୍ପଣ କରାଯାଇଥାଏ । ଯିଏ ଯେଉଁଠି ବି ଥାଆନ୍ତୁ ଏହି ଦିନ କିନ୍ତୁ ଅଷ୍ଟମୀଦିନ ସକାଳୁ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଦେବାର ପରମ୍ପରା ସମସ୍ତେ ଅନୁକରଣ କରନ୍ତି ।

ଦୋ ପୂଜା : କୋଲକାତାରେ ମଣ୍ଡପ ସହିତ ଘରେ ମଧ୍ୟ ଦୁର୍ଗା ପୂଜା କରାଯାଇଥାଏ । ମଣ୍ଡପରେ ବଡ ଧରଣର ହେଉଥିବା ପୂଜାକୁ ପାରା କୁହାଯାଇଥାଏ । ସେହିଭଳି ଘରେ କରାଯାଉଥିବା ପୂଜାକୁ ବାରିର ବୋଲି କୁହନ୍ତି । ପାରାର ଆୟୋଜନ ବଡବଡ ପେଣ୍ଡାଲ୍‌ ଓ ସାମୁଦାୟିକ କେନ୍ଦ୍ରରେ କରାଯାଉଥିବା ବେଳେ, ବାରିରର ଆୟୋଜନ ଉତ୍ତର ଓ ଦକ୍ଷିଣ କ୍ଷେତ୍ରରେ କରାଯାଇଥାଏ ।

କୁମାରୀ ପୂଜା : କୋଲକାତାରେ ଦୁର୍ଗାପୂଜା ସମୟରେ ଦେବୀ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ । ସେଥିମଧ୍ୟରୁ କୁମାରୀ ପୂଜା ଅନ୍ୟତମ । ଏହି ସମୟରେ ଦେବୀଙ୍କ ସାମନାରେ କୁମାରୀ ପୂଜା କରାଯାଇଥାଏ । ଏହି ପୂଜାକୁ ଶୁଦ୍ଧ ଓ ପବିତ୍ର ପୂଜା କୁହାଯାଏ । ଏହି ଅବସରରେ ୧ରୁ ୧୬ବର୍ଷର ଝିଅଙ୍କୁ ପୂଜା କରିବା ସହିତ ଆଳତି ମଧ୍ୟ କରାଯାଇଥାଏ ।

ସନ୍ଧ୍ୟା ଆଳତୀ
ପୂଜାରେ ସନ୍ଧ୍ୟା ଆଳତୀର ଖାସ୍‌ ମହତ୍ତ୍ୱ ରହିଛି । କୋଲକାତାର ପୂଜା ପେଣ୍ଡାଲର ଆଳତୀ ଦେଖିବାକୁ ଅନେକ ଦୂରରୁ ଲୋକ ଆସନ୍ତି । ବଙ୍ଗଳାର ପାରମ୍ପରିକ ବସ୍ତ୍ରରେ ସୁସଜ୍ଜିତ ଲୋକମାନେ ଏହାର ଶୋଭା ଆହୁରି ବଢାନ୍ତି । ସବୁଆଡେ ଉତ୍ସବର ମାହୋଲ ଲାଗିରହେ । ନଅ ଦିନ ଧରି ସବୁଦିନ ସନ୍ଧ୍ୟାରେ ଏହି ଆଳତୀ କରାଯାଇଥାଏ । ସଙ୍ଗୀତ, ଶଙ୍ଖ, ଢୋଲ, ଘଣ୍ଟର ତାଳେତାଳେ ମାଙ୍କର ଆଳତୀ କରାଯାଇଥାଏ । ଯାହାକୁ ସମସ୍ତେ ବେଶ୍‌ ଉପଭୋଗ କରନ୍ତି ।

ସିନ୍ଦୂରା ଖେଳା : ଦଶହରା ଶେଷଦିନ ବିବାହିତ ମହିଳାମାନେ ଏହି ଉତ୍ସବରେ ଭାଗ ନିଅନ୍ତି । ସମସ୍ତେ ଏକାଠି ହୋଇ ନିଜ ନିଜ ଭିତରେ ସିନ୍ଦୂର ଲଗାଇ ଶୁଭେଚ୍ଛା ଦିଅନ୍ତି । ଏହି ଉତ୍ସବକୁ ମହିଳାମାନେ ବେଶ୍‌ ଉପଭୋଗ କରନ୍ତି ।

ଧନୁଚି ନୃତ୍ୟ : ସିନ୍ଦୂର ଖେଳା ଭଳି ଧନୁଚି ନୃତ୍ୟ କଲିକତାର ବେଶ୍‌ ପୁରାତନ ପରମ୍ପରା । ଏହାକୁ ଶକ୍ତି ନୃତ୍ୟ ବୋଲି ମଧ୍ୟ କୁହାଯାଇଥାଏ । କୋଲକାତାର ପୂଜା ପରମ୍ପରାରେ ଏହି ନୃତ୍ୟ ଦେବୀଙ୍କର ଶକ୍ତିକୁ ପ୍ରଦର୍ଶିତ କରିଥାଏ । ଏହି ଆଳତୀ ସମୟରେ ଧୁନୁଚିରେ ନଡିଆକତା ଏବଂ ହୋମ ସାମଗ୍ରୀ ରଖାଯାଇ ମାଙ୍କର ଆଳତୀ କରାଯାଇଥାଏ । ଏହି ନୃତ୍ୟ ସପ୍ତମୀରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ଚାଲିଥାଏ ।

ବିଜୟା ଦଶମୀ : ନବରାତ୍ରିର ଶେଷ ଦିନକୁ ଦଶମୀ ବା ବିଜୟା ଦଶମୀ କହିଥାଆନ୍ତି । ଏହି ଦିନ ପୂରା କୋଲକାତାର ସମସ୍ତ ଅଞ୍ଚଳରେ ଭିଡ ଦେଖାଯାଇଥାଏ । ଏହି ଦିନ ସମସ୍ତେ ସମସ୍ତଙ୍କ ଘରକୁ ଯାଇ ଶୁଭେଚ୍ଛା ଦେବା ସହିତ ମିଠା ଖୁଆଇଥାଆନ୍ତି ।

Comments are closed.