୩ମାସର ଶିଶୁକନ୍ୟାକୁ ବଞ୍ଚାଇ ଦେବାକୁ ଦିବ୍ୟାଙ୍ଗ ବାପାର ଆକୁଳ ନିବେଦନ

ସମୟ ଲାଇଭ୍‍,୧୧/୨( ରାଜ ଗୁପ୍ତା ) :  ସରକାର ମୋର ଝିଅକୁ ବଞ୍ଚେଇ ଦିଅ ବୋଲି ଆକୁଳ ନିବେଦନ କରୁଛି ଜଣେ ଦିବ୍ୟାଙ୍ଗ ବାପା। ପରିବାର ଲୋକଙ୍କ ମୁହଁରେ ଦାନା ଦେବା ପାଇଁ ସାମର୍ଥ୍ୟ ନାହିଁ ଖର୍ଚ୍ଚବହୁଳ ଚିକିତ୍ସା ସେବା ଯୋଗାଇ ଝିଅକୁ ବଞ୍ଚାଇବି କେମିତି ବୋଲି କୋହଭରା କଣ୍ଠରେ କୁହନ୍ତି ଅସହାୟ ଦିବ୍ୟାଙ୍ଗ ବାପା। ଏଘଟଣା ମୟୁରଭଞ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ଗାଁର। ଏଠାରେ ବାସ କରନ୍ତି ଦିପୁ ମୁଖି । ବୟସ ପାଖାପାଖି ୨୫ ହେବ । ଜନ୍ମରୁ ଦିବ୍ୟାଙ୍ଗ ନଥିଲେ ଦିପୁ । ସେ ରହୁଥିବା ଘରର ମାଟିକାନ୍ଥ କିଛି ବର୍ଷ ପୂର୍ବରୁ ତାଙ୍କ ଉପରେ ପଡିଯିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୈଇଥିଲେ ।

ଡାକ୍ତର କହିବା ଅନୁଯାୟୀ ତାଙ୍କର ଗୋଡଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଗୋଡଟି କାଟିବାକୁ ପଡିବ । ଫଳରେ ଦିପୁଙ୍କ ଗୋଟିଏ ଗୋଡ କାଟାଯାଇଥିଲା । ଗୋଡ କଟା ହେବା ପରେ ଦିପୁଙ୍କ ଜୀବନରେ ଆରମ୍ଭ ହୋଇଯାଇଥିଲା ଦୁଃଖ । ତେବେ ହରିଜନ ସଂପ୍ରଦାୟର ଦିବ୍ୟାଙ୍ଗ ଦିପୁର ପରିବାର କହିଲେ ସେ ନିଜେ ଓ ସ୍ତ୍ରୀ । ବାପା,ମା ଓ ସାନ ଭାଇ ଅଲଗା ରହୁଛନ୍ତି । ଏପରି ସ୍ଥିତିରେ ମଧ୍ୟ ଦିପୁ ହାରନମାନି ଧାରଉଧାର କରି ଗୋଟିଏ ମାଟିକାନ୍ଥ ଘରେ ପଲିଥିନ ଘେରି ରହିଆସୁଛନ୍ତି । ତେବେ ଦିପୁ ଅନ୍ୟ କିଛି କାମ ନ କରିପାରିବାରୁ ଘରେ ଆରମ୍ଭ କଲେ ବାଉଁଶରେ ତିଆରି ଫୁଲ ଚାଙ୍ଗୁଡି କାମ। ଏଥିରେ ସାହାଯ୍ୟ କରୁଥିଲେ ସ୍ତ୍ରୀ । ଫୁଲ ଚାଙ୍ଗୁଡି ବିକି ଯାହା ରୋଜଗାର ହୁଏ ସେଥିରେ ବହୁକଷ୍ଟରେ ପରିବାର ଚଳାଉଥିଲେ ଦିବ୍ୟାଙ୍ଗ ଦିପୁ । ତେବେ ଦିପୁଙ୍କୁ ସରକାରୀ ଭାବେ ୫୦୦ ଟଙ୍କା ଭତ୍ତା ଓ ମୁଣ୍ଡ ପିଛା ୫ କିଲୋ ଚାଉଳ ମିଳୁଛି ।

ଦିପୁଙ୍କ ପରିବାରରେ ଝିଅ ଟିଏ ଜନ୍ମ ହେବା ପରେ ଘରେ ଖୁସିର ଲହରୀ ଖେଳିଯାଇଥିଲା । ବାପା ମାଆ ଅତି ସ୍ନେହରେ ଝିଅର ନାମ ରଖିଲେ ରଶ୍ମିତା । ରଶ୍ମିତାକୁ ନେଇ ପରିବାର ଲୋକେ ଦେଖିଥିଲେ କାହିଁ କେତେ ସ୍ୱପ୍ନ । କିନ୍ତୁ ଭାଗ୍ୟର ବିଡମ୍ବନା ୩ ମାସର କୁନି ଝିଅ ଜୀବନ ପାଇଁ ସଂଗ୍ରାମ କରୁଛି । ରଶ୍ମିତାର ଜନ୍ମରୁ କଳାଯାଇ ଭଳିଆ ନାକ ପାଖରେ ଥିଲା ଗୋଟିଏ ଚିହ୍ନ । ପରବର୍ତ୍ତୀ ସମୟରେ ଧିରେଧିରେ ତାହା ବଢ଼ିବାରେ ଲାଗିଛି । ଝିଅକୁ ବଞ୍ଚାଇବା ପାଇଁ ଯାହା ସମ୍ବଳ ଥିଲା ସେଥିରେ ପ୍ରଥମେ ମୋରଡା ଓ ପରେ ବାରିପଦା ପି ଆର ଏମ ମେଡିକାଲକୁ ନେଇ ଡାକ୍ତରଙ୍କୁ ଦେଖେଇଥିଲେ। ହେଲେ କିଛି ସୁଫଳ ମିଳିଲା ନାହିଁ । ବରଂ କଟକ ବଡ ମେଡିକାଲକୁ ନେବାକୁ ବାରିପଦା ମେଡିକାଲ ତରଫରୁ ପରାମର୍ଶ ଦେଇ କୁହାଯାଇଛି ।

ସମ୍ବଳ ନଥିବାରୁ ନିଶ୍ୱ ହୋଇପଡିଥିବା ଅସହାୟ ଦିବ୍ୟାଙ୍ଗ ବାପା ମନରେ କୋହ ଛାତିରେ ଦୁଃଖ ଚାପି ରହୁଥିବା ବେଳେ ସରକାରଙ୍କ ସହଯୋଗକୁ ଅନାଇଁଛନ୍ତି । ଏବେ ରଶ୍ମିତାର ନାକ ପାଖରେ ଥିବା ଚିହ୍ନ ବଢିବଢି ନାକର ଗୋଟିଏ ପାଖ ବୁଜି ଗଲାଣି । ଯାହା ଫଳରେ ନିଶ୍ୱାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ଛୋଟ କୁନି ପିଲାଟି ସବୁବେଳେ କାନ୍ଦୁଥିବାର ଦେଖାଯାଉଛି । ଦିପୁ ମୁଖି ଅତ୍ୟନ୍ତ ଗରିବ ହୋଇଥିବାରୁ ଝିଅକୁ ଚିକିତ୍ସା କରିବା ଦୂରର କଥା ପରିବାର ଚଳାଇବା ତାଙ୍କ ପାଇଁ ଏବେ କାଠିକର ପାଠ ହୋଇପଡିଛି ।

ପରିବାର ଲୋକେ ନେହୁରା ହୋଇ କହନ୍ତି ଆମ ଝିଅକୁ ଭଲ କରିଦିଅ ସରକାର । ତେବେ ସ୍ଥାନୀୟ ଲୋକମାନେ ସାହାଯ୍ୟ ସହଯୋଗ କରୁଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନଥିବାରୁ ସାମାଜିକ ସଂଗଠନ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷ ସହାୟତା ପାଇଁ ଆଗେଇ ଆସିବାକୁ ଅନୁରୋଧ ଜଣାଇଛନ୍ତି। ଦିପୁର ଆଥିର୍କ ସମ୍ବଳ ନଥିବାରୁ କଟକ ବଡ ମେଡିକାଲ କି ଅନ୍ୟ କେଉଁଠିକୁ ନେଇ ଡାକ୍ତରୀ ଚିକିତ୍ସା ସେବା ଯୋଗାଇ ଝିଅର ଜୀବନ ବଞ୍ଚାଇବା ଅସମ୍ଭବ ହୋଇ ପଡିଥିବା ବେଳେ ନିରିହା ଶିଶୁକନ୍ୟାର ଜୀବନ ବଞ୍ଚାଇବା ପାଇଁ ଚିକିତ୍ସାଭାର ସରକାର ନିଅନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି।

Comments are closed.