ବୌଦ୍ଧ ଜିଲ୍ଲାକୁ ରାଜ୍ୟ ସରକାର ଭୂଲି ଯାଉଛନ୍ତି- ଡା. ଲେଖାଶ୍ରୀ

0

ବୌଦ୍ଧ,ସେପ୍‌ଟେମ୍ବର ୯ : ରାଜ୍ୟ ସରକାର ବୌଦ୍ଧଜିଲ୍ଲାକୁ ଭୂଲିଗଲାଭଳି ମନେ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ, ପାନୀୟ ଜଳ ଆଦି ପ୍ରତିଟି କ୍ଷେତ୍ରରେ ପଛୁଆ ହୋଇରହିଯାଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରକାଶ କରିଛନ୍ତିି । ବୌଦ୍ଧ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନରେ ବୌଦ୍ଧ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସସମ୍ମିଳନୀରେ ଏହା ପ୍ରକାଶ କରିଥିଲେ । କୃଷିଭିତ୍ତିକ ବୌଦ୍ଧ ଜିଲ୍ଲାର ଚାଷୀମାନଙ୍କ ପ୍ରତି ଏବେ ବଡ ବିପଦ ଦେଖାଦେଇଛି । ଜିଲ୍ଲାର ଚାଷୀମାନେ ଚାଷ ପ୍ରତି ବିମୁଖ ହେଉଥିବାବେଳେ ଆନ୍ଧ୍ରର କପାଚାଷୀଙ୍କ କବଜାରେ ଅନେକ ଚାଷୀଙ୍କ ଜମି ଏବେ ବନ୍ଧା ପଡିଲାଣି । ରାଜ୍ୟ ସରକାର ଜିଲ୍ଲାର ଚାଷୀଙ୍କୁ ନା ଜଳସେଚନର ସୁବିଧା ଯୋଗାଇ ପାରୁଛନ୍ତି ନା ଅନ୍ୟ କୌଣସି ସୁବିଧା ସୁଯୋଗ । ଏହା ଏକ କୃଷି ଭିତ୍ତିକ ଜିଲ୍ଲା ହୋଇଥିଲେ ମଧ୍ୟ ମାତ୍ର ୨୨ ପ୍ରତିଶତ ଜମିକୁ ଜଳସେଚନର ସୁବିଧା ରହିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଗୋଟିଏ ମଧ୍ୟ ସରକାରୀ କଲେଜ ନଥିବାବେଳେ ଶିଳ୍ପ ନାହିଁ କି ବେକାର ଯୁବକ ଯୁବତୀଙ୍କ ପାଇଁ ରୋଜଗାର ନାହିଁ । ଜିଲ୍ଲାର ବେକାର ୍‌ଯୁବକମାନେ ରାଜ୍ୟ ବାହାରକୁ ଦାଦନ କଟିବାକୁ ଯାଉଛନ୍ତି । ଦିନ ଥିଲା ବୌଦ୍ଧଜିଲ୍ଲାରେ ପିଆଜ ଓ ଟମାଟୋ ପ୍ରବଳ ମାତ୍ରାରେ ଉପିାଦନ ହେଉଥିଲା । କିନ୍ତୁ ଶୀତଳଭଣ୍ଡାରର ସୁବିଧା ନଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେବା ସହିତ ଚାଷପ୍ରତି ବିମୁଖ ହେଉଛନ୍ତି । ସେହିପରି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସନ୍ତୋଷଜନକ ନଥିବାବେଳେ ଜିଲ୍ଲାରେ ୫୧ ଓ ମୁଖ୍ୟଚିକିତ୍ସାଳୟରେ ୧୭ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ଡାକ୍ତରଖାନାରେ ଶଯ୍ୟା ସମସ୍ୟା ରହି ଥିବାରୁ ରୋଗୀ ବାରଣ୍ଡାରେ ରହିବାକୁ ପଡୁଛି । ସରକାର ଜିଲ୍ଲାବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ଦୁଇ ଟାଣୁଆ ନେତା ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିବାବେଳେ ବାଚସ୍ପତି,ଅର୍ଥମନ୍ତ୍ରୀ,ଖଣିମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ଜିଲ୍ଲାକୁ ମିଳଛି । କିନ୍ତୁ ଜିଲ୍ଲାର ଯାହା ବିକାଶ ହେବା କଥା ତାହା ହୋଇପାରିନାହିଁ । ସେମାନେ ଜନସାଧାରଣଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତିି ବୋଲି ଅଭିଯୋଗ କରିଛନ୍ତିି । ବୌଦ୍ଧକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ଓ ବୌଦ୍ଧ ଏନଏସିକୁ ମ୍ୟୁନସିପାଲିଟି କରାଯିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ପ୍ରଶାସନ ଏହାକୁ ଅବହେଳା କରିଆସୁଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ବୌଦ୍ଧ ଏନଏସିରେ ତିନିପିଢି ଧରି ଗରୀବ ଭୂମିହୀନ ଲୋକେ ରହିଆସୁଥିବାବେଳେ ସେମାନଙ୍କୁ ଘରଡିହ ମିଳୁନଥିବାବେଳେ ଭୋଟବ୍ୟାଙ୍କ ନାମରେ ବାହାର ରାଜ୍ୟର ଅଣଓଡ଼ିଆ ଲୋକମାନଙ୍କୁ ଜାଗା ମିଶନରେ ଘରଡିହ ଯୋଗାଇଦିଆଯାଇଛି ବୋଲି ଡା. ସାମନ୍ତସିଂହାର ଅଭିଯୋଗ କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶାର ଜୀବନରେଖା ଭାବରେ ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଆଗେଇପାରୁନାହିଁ । ତେଣୁ ଆଗାମୀ ଦିନରେ ଜିଲ୍ଲାପ୍ରତି ରାଜ୍ୟ ସରକାରଙ୍କ ଅବହେଳା ନେଇ ବିଜେପି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଡା. ସାମନ୍ତସିଂହାର ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର,ବରିଷ୍ଠ ନେତା ସୁଶାନ୍ତ କୁମାର ପ୍ରଧାନ,ମାଗୁଣି ଗାଇଗୌରିଆ,ଅଞ୍ଜନ କୁମାର ସାହୁ,ମନୋରଂଜନ ଦାଶ,ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ,ସତ୍ୟାନନ୍ଦ ପାଣ୍ଡେ,ସୁଶାନ୍ତ କୁମାର ବାଘ,ପ୍ରେମାନନ୍ଦ ମିଶ୍ର ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.