ବଦଳି ଗଲାଣି ଯୁଗ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ତୁମକୁ କେମିତି କହିବି ବୁଝୁନ,
ନାହିଁ ଆଉ ସେହି ଯୁଗ, କାଲି ଥିଲା ଯାହା
ଆଜି ବଦଳିଛି, ନୂଆ ନୂଆ ପ୍ରତିଭାସ।
କାଟି ପିନ୍ଧିବାକୁ କୁଟି ଖାଇବାକୁ
କହିଥିଲେ ଜାତିପିତା
ଖଟିଖାଇବାକୁ କେହି ନ ମଙ୍ଗୁଛି
ସରକାର ହେଲେ ଦାତା।
ନିଜ ମାଟି ମାଆ ମଥା ଟେକ ରହୁ
ନ ମଣେ କେ ବଡ଼ କଥା
ଦାବୀକରିବାକୁ ଅଧିକାର ମଣେ
କର୍ମ ପଥେ ବଡ଼ କୁଣ୍ଠା।
ବଦଳି ଗଲାଣି ଧର୍ମପଥ ଆଜି
ଈଶ୍ୱରଙ୍କ ପ୍ରତିରୂପ
ଯେ ଯେମିତି ମଣିଲା ସେମିତି ପୂଜିଲା
ବହୁ ଗୁରୁ ବହୁଭକ୍ତ।
ନିତି ଗଢ଼ି ଉଠେ ନୂଆ ମନ୍ଦିରଟେ
ନବମୂର୍ତ୍ତି ପ୍ରତିଷ୍ଠାରେ
ହୃଦ ମନ୍ଦିରରୁ ଦିଅଁ କାଢ଼ି ଦେଇ
ଭକ୍ତ ସାଜେ ଅନାୟାସେ।
ବଦଳି ଗଲାଣି ମଣିଷର ଭାବ
ପଶୁ ପରି ଆଚରଣ
ମାନବରୁ ଦେବ ହେବା ସେ ଭୁଲିଲା
ଭାଳେ ପାଶବିକପଣ।
ତ୍ୟାଗ, ଦୟା, କ୍ଷମା ଅର୍ଥ ସେ ଭୁଲିଲା
ଭୋଗ ମଣେ ବଡ଼ପଣ
କର୍ମ ଅକର୍ମର ଭେଦ ନଜାଣିଲା
ବଡ଼ ମଣେ ଅର୍ଥ ଉପାର୍ଜ୍ଜନ।
ବଦଳି ଗଲାଣି ବିଚାରର ଧାରା
ଆଇନ କାନୁନ ବାଟ
କଦଳୀ ଚୋରକୁ ହାଟରେ ଘୋଷରା
ମଣିଷ ମରାକୁ ଛାଟ।
ସ୍ନେହ ପ୍ରୀତି ସବୁ ଲୋକ ଦେଖାଣିଆ
ସ୍ୱାର୍ଥରେ ରଖନ୍ତି ମତି
ସ୍ୱାମୀ ସ୍ତ୍ରୀ ଭାବ ଅଭାବରେ ଚାଲେ
ପରକୀୟା ପ୍ରେମେ ମାତି।
ପୁରାଣ କଥାକୁ ଭୁଲିଲେଣି ସବୁ
ଗାଲୁଗଳ୍ପ ମନେକରି
ଥଟାମଜ୍ଜା କଥା ଆନନ୍ଦେ କରନ୍ତି
ରାମକୃଷ୍ଣେ ଦେଇ ଗାଳି।
କେମିତି ଯୁଗ ଏ ଆସିଛି କେଜାଣି
ନୀତି ଉପଦେଶ ବୃଥା
ସଂସ୍କୃତି ଐତହ୍ୟ ପାଶୋରି ଜାଣିଲୁ
ଏହି ଆମ ସ୍ୱାଧୀନତା।
ଗୁରୁ ଛାଟ ଆଉ ଗୋଇଠା ନ ବାଜି
ପାଇଲାଣି କିଏ ବାଟ
ଅମୃତ ବାଣୀରେ ତୋଷି କହିଲେ କି
ଫିଟଇ ମନ କବାଟ।
ମନୁଆ ମନକୁ ମଣ କରିବାକୁ
ବେଳ ହୁଁ କର ଆକଟ
ବେଳ ଗଲେ ଗଡ଼ି ହଟହଟା ସିନା
କହିଛି ଆମରି ପାଠ।

Comments are closed.