ବଦଳି ଗଲାଣି ମଣିଷ ମନ

ଡ଼. ଚୌଧୁରୀ ସଂଯୁୂକ୍ତା ଷଡ଼ଙ୍ଗୀ

ଶୁଣିବାକୁ ଲାଗେ ଭଲ
ବଦଳି ଗଲାଣି ମଣିଷର ମନ
ତା ଚରିତ୍ର ଆଚରଣ
ଚିନ୍ତା କରେ ଆଜି ଜଗତର ସ୍ଥିତି
ହେବ କି ଭବିଷ୍ୟ ତା’ର।
ପ୍ରକୃତି କୋଳରେ ଜନମି ବଢ଼ିଲା
ପ୍ରକୃତି ସହିତ ଲଢ଼ି ଯେ ଶିଖିଲା
ତା’ର ସୁଖ ଶାନ୍ତି; ପ୍ରତିକୂଳ ସ୍ଥିତି
ନିୟନ୍ତ୍ରଣେ ସକ୍ଷ ଏ ମଣିଷ ଜାତି
ଧରାପୃଷ୍ଠେ ଦେଖ
ନୂଆକଥା ଆଣି ଦେଲା।
କେବେ ଥିଲା ବଣ-ଜଗତର ବାସୀ
ଗଢ଼ିଲା ସହର ସୌଧମାଳା ବସି
ସାଧନାରେ ବ୍ରତୀ ନିଜ ଭାଗ୍ୟ ଗଢ଼ି
ଏବେ ମହାକାଶେ ଉଡ଼ି ସେ ପାରିଛି।
ବନ୍ୟଜନ୍ତୁ ହିଂସ୍ର ପାଶାବିକପଣ
ଦୂରେ ଫିଙ୍ଗିବାକୁ ମନେ ବିଚାରିଣ
ଫିଙ୍ଗି ବର୍ଚ୍ଛା ତୀର
ଅଭୟାରଣ୍ୟ ଗଢ଼ିଲା।
ନାହାନ୍ତି ସେ ପଶୁ ଆଉ ଧରା କୋଳେ
ଦୟା ମନ ପ୍ରାଣେ ବସି ଆଜି ଭାଳେ
ଦେବାକୁ ସୁରକ୍ଷା ପଶୁପକ୍ଷୀ କୂଳେ
ନିଷିଦ୍ଧ ଆଇନ-ମାନ ସେ ସୃଜିଲା।
ପୁଣି କେତେ ହିଂସ୍ର ଆଜି ସେ ମାନବ ଜାତି
ଭାଳେ ଶତୃ ତା’ର ସ୍ୱଜାତି ମଣିଷ ସନ୍ତତି
ରାଜରାଜୁଡ଼ାର ଶାସନ ଉଜାଡ଼ି
ମୁଣ୍ଡ ଟେକିଲାଣି ସଭ୍ୟତା ସଂସ୍କୃତି
ଶିକ୍ଷାର ଆଲୋକେ ଜଗତ ଉଛୁଳେ
ଉନ୍ମତ ପ୍ରାଣ ତା ବିଜ୍ଞାନର ବଳେ
ଜଗତର ରକ୍ଷା ଚିନ୍ତନ ପାସୋରି
ମାନବ ସଂହାର ବୋମା ବସି ରଚେ।
ଆତଙ୍କବାଦର ସୌଧ ପରେ ବସି
ଅଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ବିଚାରେ
ଦେଖି ଭୁଲିଲା ଯେ ଅଣୁ ଅସ୍ତ୍ରର ପ୍ରୟୋଗ
କେତେ ଭୟଙ୍କର କଲା ନାରଖାର
ତଥାପି ସେ ଅସ୍ତ୍ରେ ପ୍ରବଳ ହେବାର ବାସନା
ମଣିଷ ପ୍ରାଣରେ ଭରେ ଉନ୍ମାଦନା
କରଇ ପରୀକ୍ଷା ବସି ଦିବାନିଶି
ସଂହାରିବ ଦିନେ ଏ ପୃଥିବୀବାସୀ।
ଭୂବକ୍ଷ ଏକଇ ଅଗଣା ଆଶାରେ
ଆର୍ଯ୍ୟଋଷିଗଣ ଆଶା ରଖିଥିଲେ
ସେ କୂଳେ ଜନମି ହେଲା ଜ୍ଞାନୀଗୁଣି
ପାସୋରିଲା ଦିବ୍ୟ ସତ୍ତ୍ୱ ମନ୍ତ୍ରଧ୍ୱନି
ଆତ୍ମବଳେ ସାରା ଜଗତ ନ ଜିଣି
ଆଣବିକ ଅସ୍ତ୍ର ବଳ ମନେ ଘେନି
ଗଢ଼ିଲା ପ୍ରଭେଦ ଅନେକ ପ୍ରାଚୀର
ଆତଙ୍କିତ ଆଜି ସ୍ୱଜାତି ସ୍ୱକୂଳ
ନିରୀହ ଦୁର୍ବଳ ପ୍ରାଣରେ ଆଶଙ୍କା
ମଣିଷ ଭୁଲିଲା ମାନବ ପଣିଆ
ସର୍ବେ ସୁଖ ଶାନ୍ତି ସୁସ୍ଥିରେ ଜୀବନ
ବଞ୍ଚିବା ସପନ ବସୁଧା ବକ୍ଷେଣ।

Comments are closed.