ଅନୁଙ୍କୁ ନୂଆ ଦାୟିତ୍ୱ ଦେଲେ ଅପରାଜିତା

ସମୟ ଲାଇଭ,22/2: ବିଜେପି ନେତ୍ରୀ ତଥା ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଅନୁ ଚୌଧୁରୀ ଏଣିକି ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି | ବେଗୁନିଆରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ଋଷଭ ନନ୍ଦଙ୍କ ସ୍ଥାନରେ ଅନୁଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି | ବେଗୁନିଆ ନିର୍ବାଚନମଣ୍ଡଳୀ ଅଧୀନରେ ଯେକୌଣସି କାର୍ଯ୍ୟକ୍ରମ ବା ବୈଠକରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଭାବରେ ଅନୁ ଚୌଧୁରୀ ଯୋଗ ଦେବେ ବୋଲି ଚିଠିରେ ଉଲ୍ଲେଖ ରହିଛି |ଏଠାରେ ସୂଚନା ଥାଉ କି ଜାନୁୟାରୀ ୨୦, ୨୦୧୮ରେ ଅନୁ ଚୌଧୁରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପ୍ରାୟ ୪୦ଟି ଓଡ଼ିଆ, ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁ ଚୌଧୁରୀ ନିର୍ବାଚନରେ ଲଢ଼ିନଥିଲେ ବି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ | ସେହିପରି ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ମାର୍ଚ୍ଚ ୨୧ ତାରିଖ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଏହା ପରେ ତାଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନ ପାଇଁ ଟିକଟ ମିଳିଥିଲା | କିନ୍ତୁ ସେ ନିର୍ବାଚନରେ ହାରିଯାଇଥିଲେ |

Comments are closed.