ମାଟ୍ରିକ୍‍ ଓ +୨ ଆଡ଼ମିଟ୍‍ କାର୍ଡ଼ ସହ ହେବ ଆଧାର ଲିଙ୍କ

ସମୟ ଲାଇଭ୍‍, ୧୭/୧୦: ଉଭୟ ମାଟ୍ରିକ୍‍ ଓ ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। କପି ରୋକିବା, ଜାଲ ପରୀକ୍ଷାର୍ଥୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏଣିକି ପରୀକ୍ଷା ପ୍ରବେଶପତ୍ର ସହ ଆଧାର ଲିଙ୍କ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରବେଶପତ୍ରରେ ପରୀକ୍ଷାର୍ଥୀଙ୍କ ନାମ, ରୋଲ ନଂ, ଫଟୋ ସହ ଆଧରେ ନଂକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ +୨ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ହେଉଥିବାବେଳେ ବର୍ତ୍ତମାନ ଏହା ଗଣଶିକ୍ଷା ବିଭାଗ ଅଧୀନକୁ ଚାଲିଆସିଛି। ତେଣୁ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀଙ୍କ ପ୍ରବେଶ ଉପରେ ରୋକ୍‍ ଲଗାଇବା ପାଇଁ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ହଲରେ ପ୍ରବେଶ ସମୟରେ ଆଧାର ନଂ ଯାଞ୍ଚ କରାଯିବ।
ସୂଚନା ଥାଉ କି, ରାଜ୍ୟରେ ପ୍ରତିବର୍ଷ ସାଢ଼େ ତିନି ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଓ ଚାରି ଲକ୍ଷରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଉଛନ୍ତି। ଅନ୍ୟପଟେ ରାଜ୍ୟରେ ନକଲି ପରୀକ୍ଷାର୍ଥୀଙ୍କ ଽାକେଟ ସକ୍ରିୟ ହୋଇ ଉଠିଛି। ମାଟ୍ରିକ ଓ +୨ ପରୀକ୍ଷାରେ ଏପରି କୌଣସି ନକଲି ପରୀକ୍ଷାର୍ଥୀ ଜଣାପଡ଼ିନଥିଲେ ମଧ୍ୟ ଅନ୍ୟ ପରୀକ୍ଷାରେ ଏପରି ପରୀକ୍ଷାର୍ଥୀଙ୍କୁ ଧରାଯାଇଛି। ତେଣୁ ଆଗାମୀ ଦିନରେ ଏପରି ବିଶୃଙ୍ଖଳା ନ ଘଟିବା ପାଇଁ ବିଭାଗ ପକ୍ଷରୁ ପ୍ରବେଶପତ୍ର ସହ ଆଧାର ଲିଙ୍କ କରାଯାଉଛିି।

Comments are closed.