ଅବସର ଜୀବନ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ଅନୁକ୍ଷଣେ ମନ ଚାହେଁ କର୍ମ ସାରି ନେବାକୁ ବିଶ୍ରାମ
କର୍ମ ପାଇଁ ଜନମିଛି, କର୍ମ ସିନା କରି କିଛି
ଖୋଜିବି ଆରାମ;
ଯାହା ପାଇଁ ଜନମିଛି; ଯେ ଦେଖାଇଛି ଧରା
ତା’ପଣତ ମୋ ମସ୍ତକେ ଅମୃତ ଆଶିଷର ଧାରା।
କେତେ ଯେ ସପନ ତା’ର ଶୁଣାଇଲା କାନେ
ତା ସପନ ହେଉ ସତ ଭାବେ ମନେ ମନେ,
ସରଳତା ମାନବର ବଡ଼ ଅଳଙ୍କାର
ପିନ୍ଧାଇଲା ଗଳେ ମୋର ହୋଇ ଆଗଭର।
ମାଟିର ସୁନାମ ରଖ ସତ୍‍ କାର୍ଯ୍ୟ କରି
ଟେକ ରହୁ ଏଦେଶର
ଦକ୍ଷେ ନିଅ କାର୍ଯ୍ୟ ବରି,
ଯା’ ଶିଖିଛୁ ଗୁରୁ ଠାରୁ ଆନେ ଦେବୁ ଶିକ୍ଷା
କପଟ ରଖିଲେ ମନେ ଦିନେ ହୋଇବୁ ଉପେକ୍ଷା।
କର୍ମ ସିନା ଭଗବାନ ନୁହେଁ ଆନ କେହି
କର୍ମ ବଳେ ଜିତି ହେବୁ ଈଶ୍ୱର ଦେହୀ,
ନିନ୍ଦିତ କର୍ମା ଯେହୁ ଈଶ୍ୱର ନିନ୍ଦୁକ
ସେ ଖୋଜନ୍ତି ଅବସର ତୁଚ୍ଛା କର୍ମବକ;
ଠଗ, ଅହଙ୍କାରୀ ହୁଅନ୍ତି ଭର୍ତ୍ସିତ।
ଗର୍ବ, ଅହଙ୍କାର କାଢ଼ି ଦେବୁ ଫଣୀକାତି ମଣି
ଶ୍ରଦ୍ଧାରେ କରିବୁ ଯାହା ସତ୍‍ଫଳ ଦେବ ଆଣି,
ଈଶ୍ୱର ମଙ୍ଗୁଆଳ ତୋ କର୍ମ-ଜୀବନ ତରୀର
ସମର୍ପଣେ କର ଯାହା ପ୍ରାପ୍ତ ହେବ ଫଳାଫଳ।
ସର୍ବେସର୍ବା ନ ମଣିବୁ ଦେଖାଇ ବଡ଼ପଣ
ଯେ କରୁଛି କରାଉଛି ତା’ରେ ପଶିବୁ ଶରଣ,
ଶାନ୍ତ ଚିତ୍ତେ ଅରଜିବୁ ଯେତିକି ତୋ ପ୍ରାପ୍ୟ
ଦେବୁ ବାଣ୍ଟି ଋଣୀ ଯା’ରେ ସେହି ତୋର ଭାଗ୍ୟ।
କପାଳ ଲିଖନ କେହି ନ କରିବ ଆନ
ବିଶ୍ୱାସ କରିବୁ ଯାହା ଦେଖିବୁ ନୟନ,
ପରତେ ନ ଯିବୁ ଆନ କଥା ଯାହା ଶୁଣି
ପଚାରିବୁ ତୋ ମନକୁ ଆଗପଛ
ବିଚାରିବୁ ଜାଣି।
ଆରାମ ଅଟେ ହାରାମ ମନ ନେବୁ ନାହିଁ ଟାଣି
ଅବସରେ କର୍ମ କର ଉଚିତ ଯାହା ମଣି ,
ଈଶ୍ୱର ଆରାଧନା ଭାରତୀ ଉପାସନା
ଯାହା ଦେଖିଛୁ ଅନୁଭବୀ ଦେବୁ ରୂପ ସିନା।
କର୍ମ ଥିଲେ ଶାନ୍ତି ଅଛି ଅକର୍ମା ନିନ୍ଦେ ଭୂମି
ଧରିତ୍ରୀ ନିନ୍ଦିଲେ ନାହିଁ ଆନ ଗତି ପୁଣି ,
ସେ ଧରିତ୍ରୀ ଯେତେ ଦିନ ତୋତେ ଲାଗିବ ସୁନ୍ଦର
କର୍ମ କରି ଥିବୁ ରହି ନ ଖୋଜ ତୁ ଅବସର।
ନେବୁ ଅବସର ଯେବେ ସରିବ ଅଭିନୟ
ବଦଳିବ ବେଶଭୂଷା ପୁରାତନ ତୋର ଦେହ,
ବିଶ୍ରାମିବୁ ଧରା କୋଳେ ନ ହୁଅ ଅଥୟ
ନବ ରୂପେ ଜନମିବୁ କର୍ମ ଦେଖି ଥୟ।
କର୍ମ ତୋର ଏକା ସାଥୀ ସବୁ ହେବେ ପର
କର୍ମେ ଜାଣିବୁ ରହସ୍ୟ ଜନ୍ମ ମରଣର
ଜୀଇଁଥିବା ଯାଏଁ କରି ଯାଆ ତୁ କରମ
ଅବସର- ଜୀବନ ଆସିବ ଯାହା
କାଳର ନିୟମ।

Comments are closed.