ଶ୍ୱେତା ଆତ୍ମହତ୍ୟା ମାମଲା : ବୟଫ୍ରେଣ୍ଡଙ୍କୁ ପୋଲିସ ର ରାତିଅଧିଆ ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍‌ ଶ୍ୱେତାଙ୍କ ବାପା ଓ ଭାଇଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି । ଶ୍ୱେତାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ।

ଏହି ଘଟଣାରେ କିଛିଦିନ ଧରି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଚୁପ ରହିବାପରେ ଗତକାଲି ରାତିଅଧରେ ସୌମ୍ୟଜିତ ଙ୍କୁ ଥାନାକୁ ଡକାଇ ଜେରା କରିଥିବା ଜଣାପଡିଛି I ପୂର୍ବରୁ ପୁଲିସ୍‌ ଥାନାରେ ହାଜର ହେବାକୁ ତାଙ୍କୁ ଏକାଧିକ ଥର ନୋଟିସ୍‌ କରିଥିଲା । ସୌମ୍ୟ ଏହି ନୋଟିସ୍‌ର ଉତ୍ତର ରଖିନଥିଲେ କି ଥାନାରେ ହାଜର ହୋଇନଥିଲେ । ତାଙ୍କ ମୋବାଇଲ୍‌ ଫୋନ୍‌ ଦୀର୍ଘ ଏକ ସପ୍ତାହ ଧରି ସୁଇଚ୍‌ ଅଫ୍‌ ଥିଲା । ପୁଲିସ୍‌ ଶେଷରେ ତାଙ୍କ ସମ୍ପର୍କୀୟଙ୍କ ମୋବାଇଲ୍‌କୁ ଟ୍ରାକ୍‌ କରି ସୌମ୍ୟ ସମ୍ବଲପୁରରେ ଥିବା ଜାଣିବାକୁ ପାଇଥିଲା । ଏହାପରେ ପୁଲିସ୍‌ର ଏକ ଟିମ୍‌ ତାଙ୍କୁ ସମ୍ବଲପୁରରୁ ଧରି ରାତି ପ୍ରାୟ ୧୦ଟା ବେଳେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲା ।

ସେପଟେ ପୁଲିସ୍‌ର ଡକରା ପାଇ ଶ୍ୱେତାଙ୍କ ବାପା ଓ ଭାଇ ଥାନାକୁ ଯାଇଥିଲେ । ସେଠାରେ ପୁଲିସ୍‌ ଉଭୟଙ୍କୁ ଡାଏରୀର ରହସ୍ୟ ସମ୍ପର୍କରେ ପଚାରି ବୁଝିଥିଲା । ଶ୍ୱେତା ଓ ସୌମ୍ୟଙ୍କ ପ୍ରେମ ସମ୍ପର୍କ ବାବଦରେ ପଚରାଉଚରା କରିଥିଲା । ଏହାପରେ ସେମାନେ ଥାନାରୁ ଯାଇଥିଲେ । କିନ୍ତୁ ପୁଲିସ୍‌ ସୌମ୍ୟଙ୍କୁ ଅଟକ ରଖିଛି । ତାଙ୍କଠାରୁ ଶ୍ୱେତାଙ୍କ ସହ ଝଗଡ଼ା, ଡାଏରୀର ରହସ୍ୟ, ଆତ୍ମହତ୍ୟା ପୂର୍ବରୁ ଫୋନ୍‌ରେ ହୋଇଥିବା ଝଗଡ଼ା ସମ୍ପର୍କରେ ଜେରା ଚଳାଇଛି ।

ସୂଚନାନୁସାରେ ,ଗତ ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ଜଣାପଡିଥିଲା I କିନ୍ତୁ ତାଙ୍କ କଲ ସୌମ୍ୟଜିତ୍ ରିସିଭ କରି ନ ଥିବା ଜଣାପଡ଼ିଥିଲା। ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା ।

ଝିଅର ଅଚାନକ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଏଥିନିମନ୍ତେ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଥିଲେ। ଏନେଇ ଶ୍ୱେତାଙ୍କ ବାପା କହିଥିଲେ, ସୌମ୍ୟଜିତ ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ। ଏହାବାଦ ସୌମ୍ୟଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ ଗୁହାରୀ କରିଥିଲେ ଶ୍ୱେତାଙ୍କ ମା’ ।

 

Govt

Comments are closed.