ସାଲିଆସାହି ବସ୍ତି ଉଛେଦ ବନ୍ଦ କରିବାକୁ ବସ୍ତି ସୁରକ୍ଷା ମଞ୍ଚର ଦୃଢ଼ ଦାବି

0

ସମୟ ଲାଇଭ୍‍,୫/୧୧: ସାଲିଆସାହି ବସ୍ତି ଉଛେଦ ଅଭିଯାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସୋମବାର ସନ୍ଧ୍ୟାରେ ଡମଣା ଠାରେ ବସ୍ତି ସୁରକ୍ଷା ମଞ୍ଚ ସଭାପତି ହେନା ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀକାଳୀନ ବୈଠକରେ ନିଷ୍ପତ୍ତି ନିଆଯାଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ନଗର ଉନ୍ନୟନ ସଚିବ ଏବଂ ବିଏମସି କମିଶନରଙ୍କୁ ସ୍ମାରକପତ୍ର ପତ୍ର ପ୍ରଦାନ କରାଯାଇଅଛି। ୨ଶହ ଫୁଟିଆ ରାସ୍ତା ବାହାନାରେ ସାଲିଆସାହି ବସ୍ତି ଭାଙ୍ଗିବାକୁ ଗତ ୨ ନଭେମ୍ବରରେ ମାଇକ ଯୋଗେ ପ୍ରଚାର କରାଯାଇ ୪ ନଭେମ୍ବର ପୂର୍ବାହ୍ନରେ ବିଦ୍ୟୁତ ବିଭାଗ ଦ୍ୱାରା ବିଦ୍ୟୁତ ସଂଯୋଗ ବିଛିନ୍ନ କରି ନାଲକୋ ଛକ ଆଡୁ ବସ୍ତି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ଅଞ୍ଚଳର ବସ୍ତିବାସିନ୍ଦାଙ୍କ ସମେତ ସମଗ୍ର ସାଲିଆସାହି ଅଞ୍ଚଳର ବିଭିନ୍ନ ବସ୍ତି କମିଟିର ହଜାର ହଜାର ବସ୍ତିବାସିନ୍ଦା ଏକାଠି ହୋଇ ଏହାର ଜବରଦସ୍ତ ପ୍ରତିରୋଧ କରିବା ଫଳରେ ଭଙ୍ଗାଳୀ ଟୀମ ପ୍ରାଣ ବିକଳରେ ଦଉଡି ପଳାଇଥିଲେ। ଏହା ପୂର୍ବରୁ ଘରଭଙ୍ଗା ପାଇଁ ଚିହ୍ନ ଦେବାକୁ ଆସିଥିବା ସର୍ଭେ ଦଳକୁ ମଧ୍ୟ ଶକ୍ତି ବିହାର ଓ ଅନ୍ୟ ବସ୍ତିବାସିନ୍ଦା ଫେରାଇ ଦେଇଥିଲେ। ସାଲିଆସାହି ଭଳି ଜଙ୍ଗଲ ଜମି ଉପରେ ରହିଥିବା ବସ୍ତିବାସିନ୍ଦାଙ୍କୁ ଅଚାନକ ବଳପୂର୍ବକ ବସ୍ତିଭାଙ୍ଗି ସେମାନଙ୍କୁ ଉଛେଦ ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ। ଏହି ବସ୍ତିବାସିନ୍ଦାଙ୍କୁ ସାମାନ୍ୟ ନୋଟିସଟିଏ ମଧ୍ୟ ଦିଆଯାଇ ନାହିଁ। କୌଣସି ଆଇନ କାନୁନ ପାଳନ କରାଯାଇନାହିଁ।। ବସ୍ତିବାସିନ୍ଦାଙ୍କୁ ଉଛେଦ ପୂର୍ବରୁ ବିକଳ୍ପ ଥଇଥାନ ଯୋଗାଇ ଦେବାକୁ ୨୦୦୩ ମସିହାରୁ ଆଇନ ପ୍ରଣୟନ ହୋଇଛି। ୨୦୧୧ ରେ ବସ୍ତି ନୀତି ଘୋଷିତ ହୋଇଥିଲା। ୨୦୧୫ ମସିହାରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମସ୍ତଙ୍କୁ ବାସଗୃହ ନୀତି ଘୋଷଣା କରିଛନ୍ତି। ୨୦୧୭ରେ ରାଜ୍ୟ ନବୀନ ସରକାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଓ ମହାନଗର ନିଗମ ଅଂଚଳ ବସ୍ତିବାସିନ୍ଦାଙ୍କୁ ସମ୍ପତ୍ତି ଅଧିକାର ଘୋଷଣା କରିଛନ୍ତି। ତା ୧୫.୦୯.୨୦୧୦ ରିଖରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଆଦେଶ ରହିଛି ବଳପୂର୍ବକ ବସ୍ତି ଇଛେଦ କରାଯାଇ ପାରିବ ନାହିଁ। ରାଜ୍ୟ ଠାରୁ କେନ୍ଦ୍ର ଅନେକ ଯୋଜନା ଯଥା ବାଲ୍ମୀକି ଆମ୍ବେଦକର ଆବାସ ଯୋଜନା, ଜବାହାରଲାଲ ନେହୁରୁ ସହରାଞ୍ଚଳ ନବୀକରଣ ଯୋଜନା, ରାଜୀବ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଆଦି ଅନେକ ଯୋଜନା ଘୋଷଣା କରିଛନ୍ତି। ଏହି ସବୁ ସର୍ବନିମ୍ନ ଆଇନ ଓ ନୀତିକୁ ପାଳନ ନକରି କାହିଁକି ୬୦ରୁ ଉର୍ଦ୍ଧ୍ବ ବର୍ଷ ଧରି ରହିଆସୁଥିବା ସାଲିଆସାହି ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ବସ୍ତି ଉଛେଦ ଅଭିଯାନ କରାଯାଉଅଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଅନ୍ୟପକ୍ଷରେ ସାଲିଆସାହି ବସ୍ତିବାସିନ୍ଦା ଦୀର୍ଘ ୨୦ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀଙ୍କ ଦଳକୁ ଭୋଟଦେଇ ବିଜୟୀ କରିଥିବା ସହ ସାଲିଆସାହିରେ ୪ଗୋଟି ଶାସକ ଦଳର କର୍ପୋରେଟରଙ୍କୁ ଏବଂ ବିଧାୟକଙ୍କୁ ଲଗାତର ଜିତାଇ ଆସିଛି। ମୁଖ୍ୟମନ୍ତ୍ରୀ ଏହି ମାତ୍ର ୫ଦିନ ତଳେ ଜନ ସମ୍ପର୍କ ଯାତ୍ରାରେ ଯାଇ ସାଲିଆସାହି ବାସିନ୍ଦାଙ୍କୁ ମଟନ ଭାତ ଦେଇ ସେମାନଙ୍କ ସୁରକ୍ଷା ପାଇଁ ଉଦବୋଧନ ଦେଇଥିଲେ। ୨୦ ବର୍ଷ ଧରି ଲଗାତର ଭୋଟ ଦେବାପରେ ନବୀନ ସରକାର ସାଲିଆସାହି ବସ୍ତିବାସିନ୍ଦାଙ୍କୁ କଣ ଉପହାର ଦେଉଛନ୍ତି ତାହା ସର୍ବସାଧାରଣରେ ପ୍ରକାଶିତ ହେବା ଦରକାର। କାହିଁକି ଏ ରାସ୍ତା, କୋଉଠୁ କେଉଁଠିକି ଯିବ, ଏହି ରାସ୍ତାର ଉଦେଶ୍ୟ କଣ, ସାଳିଆସାହି ଭିତରେ ମୋଟ କେତୋଟି ରାସ୍ତାର ପ୍ରସ୍ତାବ ରହିଛି, ଏହାର ଯୋଜନା କେବେ ଆରମ୍ଭ ହୋଇଥିଲା, କେବେ ଟେଣ୍ଡର ହୋଇଥିଲା, ଏହି ରାସ୍ତାଯୋଗୁଁ କେତେ ବସ୍ତି ପରିବାର ବେଘର ହେବେ ? ସେମାନଙ୍କ ପାଇଁ ବିକଳ୍ପ ଥଇଥାନ ବ୍ୟବସ୍ଥା କଣ କରାଯାଇଛି, କେତେ ପରିବାର ମୋଟ ଉଛେଦର ଶିକାର ହେବେ ? ସରକାରଙ୍କ ପକ୍ଷରୁ ସେମାନଙ୍କ ଉଛେଦ ପାଇଁ କଣ ସବୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସବୁ କ୍ଷତିଗ୍ରସ୍ତ , ପ୍ରଭାବିତ ଏହି ଥଇଥାନର ଅନ୍ତର୍ଭୁକ୍ତ ଅଛନ୍ତି କି? ଏହି ବସ୍ତିବାସିନ୍ଦାଙ୍କ ସହ ସରକାର ଆଲୋଚନା କରି ନିଷ୍ପତି ନେଇଛନ୍ତି କି ? ଏହି ସବୁର ଜବାବ ସରକାର ଓ ପ୍ରଶାସନ ନଦେଇ ବସ୍ତି ଉଛେଦ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହା ବିରୋଧରେ ଲୋକେ ନିଶ୍ଚିତ ପ୍ରତିରୋଧ କରିବେ। ସେତେବେଳେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ। ।
ମୁନିସିପାଲ କମିଶନର, ନଗର ଉନ୍ନୟନ ମନ୍ତ୍ରୀ ଆଦି ଏହି ସବୁ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ନିବେଦନ କରାଯାଇଛି। ଏହିସବୁ ତଥ୍ୟ ପ୍ରଦାନ କରିବା ସହିତ ବଳପୂର୍ବକ ବସ୍ତି ଭଙ୍ଗା ସମ୍ପୂର୍ଣ ବନ୍ଦ କରିବାକୁ ବସ୍ତି ସୁରକ୍ଷା ମଞ୍ଚ ଦାବି କରିଛି। ସାଲିଆସାହି ସମେତ ଭୁବନେଶ୍ୱରର ସମସ୍ତ ବସ୍ତି ବାସିନ୍ଦା ଏକ ହୋଇ ଏଭଳି ବଳପୂର୍ବକ ଭଙ୍ଗା ବିରୁଦ୍ଧରେ ଦୃଢ଼ ପ୍ରତିରୋଧ ଆନ୍ଦୋଳନ ଗଢି ତୋଳିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.