‘ନାଗୀନ୍‌ ୪’ରେ ଏଣ୍ଟ୍ରି କରିବେ ଦୀପିକା କକ୍କଡ଼

ଏକ୍‌ତା କପୁରଙ୍କ ଶୋ’ ‘ନାଗୀନ୍‌ ୪’କୁ ହିଟ୍‌ କରାଇବା ପାଇଁ ନିର୍ମାତା ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। ନୂଆନୂଆ ଷ୍ଟାରଙ୍କୁ ଏଣ୍ଟ୍ରି ଦେଇ ଶୋ’ର କାହାଣୀକୁ ଆହୁରି ମଜାଦାର କରୁଛନ୍ତି। ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ ଏହି ଶୋ’ରେ ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ତଥା ଟେଲି ଷ୍ଟାର୍‌ ରଶ୍ମି ଦେଶାଇଙ୍କ ‌ଏଣ୍ଟ୍ରି ହୋଇଛି। ଏପରିକି ସିରିଏଲରୁ ରଶ୍ମିଙ୍କ ପ୍ରଥମ ଲୁକ୍‌ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏକ୍‌ତା କପୁର ଏବେ ନାଗୀନ୍‌ ୪’ରେ ‘ବିଗ୍‌ବସ୍‌ ୧୨’ର ବିଜେତା ଦୀପିକା କକ୍କଡ଼ଙ୍କୁ ଏଣ୍ଟ୍ରି କରାଇବାକୁ ଯୋଜନା କରୁଛନ୍ତି। କୁହାଯାଉଛି ଯେ ସିରିଏଲ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ, ଯିଏ କି ମନ୍ଦିରର ରହସ୍ୟର ପର୍ଦ୍ଦାଫାସ୍‌ କରିବେ। ଅନ୍ୟପଟେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥ୍ୟା ଠିକ୍‌ ନଥିବାରୁ ଏବେ ସେ ଶୋ’ରେ ଏଣ୍ଟ୍ରି ନେବେ ନାହିଁ।ନାଗିନ୍‌ ୪’କୁ କିଛିଦିନ ତଳେ ଶୋ’ରେ ନୂଆ ଟ୍ୱିଷ୍ଟ ଆଣିବା ପାଇଁ ନିର୍ମାତା ଏହାର କାହାଣୀରୁ ଜସ୍ମିନ୍‌ ଭସୀନ୍‌ ଅଭିନୟ କରୁଥିବା ନୟନତାରା ଚରିତ୍ରକୁ ଶେଷ କରିଦେଇଛନ୍ତି। ନୟନତାରାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପଟେ ହିରୋଇନ୍‌ ବୃନ୍ଦାଙ୍କ ମା’ ରୋଲ୍‌ରେ ‌ଅଭିନୟ କରୁଥିବା ଶାୟନ୍ତନୀ ଘୋଷଙ୍କର ମଧ୍ୟ ରୋଲ୍‌ ଶେଷ ହୋଇଯାଇଛି। ତେବେ ହଠାତ୍‌ ଏହି ଦୁଇ ଷ୍ଟାର୍‌ଙ୍କର ଶୋ’ରୁ ବାହାରିଯିବା ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ହେଲେ ନୂଆ ଷ୍ଟାରଙ୍କର ଏଣ୍ଟ୍ରି ଦେଖିବା ପାଇଁ ମଧ୍ୟ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି।

Comments are closed.