୮ସୁଦ୍ଧା ବଙ୍ଗୋପସାଗରେ ଲଘୁଚାପ;୧୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର(ସବୁ୍ୟ): ଜୁନ ୪:ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବାଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବହୁ ଜିଲ୍ଲାକୁ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୬ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର,ଗଜପତି, କଳାହାଣ୍ଡି,କନ୍ଧମାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହୋଇପାରେ । ୭-୮ତାରିଖରେ ଦକ୍ଷିଣ ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ । ତେବେ ୯ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ୧୦ ତାରିଖରୁ ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ଏହି ଲଘୁଚାପ ଜନିତ ବର୍ଷା ଓଡ଼ିଶାରେ ମୌସୁମୀ ପ୍ରବେଶକୁ ସୁଗମ କରିବ । ଦକ୍ଷିଣପଶ୍ଚିମ ମୌସୁମୀ ଜୁନ ୧ରେ କେରଳ ଛୁଇଁଥିଲା । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଆସିଥାଏ । ଗୁରୁବାର ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମଗ୍ର କେରଳରେ ପହଞ୍ଚିବା ସହ କେନ୍ଦ୍ରୀୟ ଆରବ ସାଗର ଓ କର୍ଣ୍ଣାଟକ ତଥା ତାମିଲନାଡ଼ୁର କିଛି ଅଞ୍ଚଳରେ ପହଞ୍ଚିଛି । ଆଗାମୀ ୨-୩ ଦିନ ମଧ୍ୟରେ ଏହା ଆହୁରି ଆଗକୁ ବଢି ସଂପୂର୍ଣ୍ଣ କର୍ଣାଟକ, ପୁଡୁଚେରୀ, ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଛୁଇଁବ । ଏହାର ପରବର୍ତ୍ତି ଦୁଇଦିନରେ ଏହା ଆନ୍ଧ୍ର ପ୍ରଦେଶ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏଥର ସାରା ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିସାରିଛି ।

Comments are closed.