୬୫୦ ଲିଟର ମଦ ଜବତ, ୧୫ ଗିରଫ

ଭଞ୍ଜନଗର : ସ୍ଥାନୀୟ ପୋଲିସ ନିକଟସ୍ଥ ନାହାତୁଠ ସାହିରେ ଚଢାଉ କରି ୬୫୦ ଲିଟର ରନ୍ଧା ମହୁଲି ମଦ ଜବତ କରିବାସହ ଏଥିରେ ସଂପୃକ୍ତି ଅଭିଯୋଗରେ ୧୫ଜଣଙ୍କୁ ଗିରଫ କରିଛି । ଏଥିସହ ମଦ ତିଆରିରେ ଆବଶ୍ୟକ ହେଉଥିବା ୭ହଜାର ଲିଟର ପୋଚ ମଧ୍ୟ ନଷ୍ଟ କରିଛି ପୋଲିସ । ମିଳିଥିବା ସୁଚନା ଅନୁସାରେ ନିକଟସ୍ଥ ନାହାତୁଠ ସାହିରେ ବିପୁଳ ପରିମାଣର ମଦ ରନ୍ଧା ହେଉଥିବା ନେଇ ପୋଲିସ ପାଖରେ ସୁଚନା ମିଳିବାପରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ଚଢାଉ କରିଥିଲେ । ଆଉ ମଦ ତିଆରି କରୁଥିବା ୧୫ଜଣଙ୍କୁ ଘଟଣାସ୍ଥଳରୁ କାବୁ କରିନେଇଥିଲେ । ଏଥିସହ ଏଠାରେ ମଦ ତିଆରି ପାଇଁ ମହଜୁଦ ଥିବା ପାଖାପାଖି ୭ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା । ବିପୁଳ ମଦ ତିଆରି ସରଞ୍ଜାମ ମଧ୍ୟ ଜବତ କରାଯାଇଥିବା ସୁଚନା ମିଳିଛି । ଏସଂପର୍କରେ ଭଞ୍ଜନଗର ଥାନାରେ ମାମଲା ରୁଜୁ ହେବାସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁଚନା ଦେଇଛନ୍ତି । ଏହି ମଦ ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ସବଇନିସପେକ୍ଟର ଲିତାରାଣୀ ପରିଡାଙ୍କ ସମେତ ଅନ୍ୟ ଷ୍ଟାପ୍ ସଂପୂର୍ଣ୍ଣ ସହାୟତା କରିଥିଲେ ।

Comments are closed.