୨୪ ଘଣ୍ଟାରେ ଦେଶରେ ୩୬,୫୭୧ କରୋନା ସଂକ୍ରମିତ ଓ ୩୬,୫୫୫ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୨୦ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ଓ ସୁସ୍ଥ ସଂଖ୍ୟା ୩୬ ହଜାରରୁ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୬,୫୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ୩୬, ୫୫୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୫୪୦ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି ।
ଆଜିର ସୁସ୍ଥଙ୍କ ସହ ଦେଶରେ ବର୍ତ୍ତମାନ ୩ କୋଟି ୧୫ ଲକ୍ଷ ୬୧ ହଜାର ୬୩୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଆଜିର ସଂକ୍ରମିତଙ୍କ ସହ ଦେଶରେ ୩ ଲକ୍ଷ ୬୩ ହଜାର ୬୦୫ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ସେହିପରି ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୩ ହଜାର ୫୮୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୯୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୪ ପ୍ରତିଶତ ରହିଛି । ଦେଶରେ ମୋଟ ୫୭ କୋଟି ୨୨ ଲକ୍ଷ ୮୧ ହଜାର ୪୮୮ ଜଣ ଲୋକ କରୋନା ଟିକା ନେଇସାରିଲେଣି । ଅନ୍ୟପକ୍ଷରେ କୋଭିଡ୍‌-୧୯ ସ୍ୱାବ୍‌ ନମୁନା ପରୀକ୍ଷାରେ ଦେଶ ୫୦ କୋଟି ଛୁଇଁଛି । ଜୁଲାଇ ୨୧ରେ ଦେଶର ୪୫ କୋଟି କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲାବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ତାହା ବୃଦ୍ଧି ପାଇ ୫୦ କୋଟିରେ ପହଞ୍ଚିଛି ।
ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି, ଯେ ପରୀକ୍ଷଣରେ ତ୍ୱରିତ ବୃଦ୍ଧି, ଶୀଘ୍ର ଚିହ୍ନଟ, ତୁରନ୍ତ ଆଇସୋଲେସନ୍‌ ଏବଂ କୋଭିଡ -୧୯ର ପ୍ରଭାବଶାଳୀ ଚିକିତ୍ସା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତରେ ଏହି ପରୀକ୍ଷଣର ମାଇଲଖୁଣ୍ଟ ସଫଳ କାର୍ଯ୍ୟକାରୀ ହେଉଛି, ୫ଟି – ଟେଷ୍ଟିଂ, ଟ୍ରାକ୍‌, ଟ୍ରେସ, ଟ୍ରିଟ୍‌, ଟେକ୍ନୋଲୋଜିର ବ୍ୟବହାର, ଯାହା ଆମକୁ ମହାମାରୀର ପ୍ରସାରକୁ ରୋକିବାରେ ସହାୟକ ହୋଇଛି । ସମଗ୍ର ଦେଶରେ ପରୀକ୍ଷଣ ଭିତ୍ତିଭୂମି ଏବଂ କ୍ଷମତାକୁ ଦ୍ରୁତ ଗତିରେ ବୃଦ୍ଧି କରିବା ଯୋଗୁ ଏହା ସମ୍ଭବ ହୋଇଛି ।

Comments are closed.