୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ; ବଢ଼ିବ ଲକ୍‌ ଡାଉନ୍‌ ଅବଧି

Edited by Papu Mohanty

ନୂଆଦିଲ୍ଲୀ : May 12:କୋଭିଡ ସଙ୍କଟ ଯୋଗୁ ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏଥିରୁ ମୁକୁଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ନିମ୍ନଗାମୀ ଅର୍ଥନୀତିକୁ ପ୍ରକୃତ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ଏହି ପ୍ୟାକେଜ୍‌ ଦ୍ୱାରା ସବୁ ବର୍ଗର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି । ଆର୍ଥିକ ପ୍ୟାକେଜ୍‌ ଦେଶର ମୋଟ୍‌ ଆଭ୍ୟନ୍ତରୀଣ ଉତ୍ପାଦନର ୧୦% ବୋଲି କୁହାଯାଉଛି । ଏହି ପ୍ୟାକେଜ୍‌ ଜରିଆରେ କୁଟିର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଦେଶର ଶ୍ରମିକ ଓ ଚାଷୀମାନେ ବି ଲାଭବାନ ହେବେ । ଆର୍ଥିକ ପ୍ୟାକେଜ୍‌ ଆତ୍ମ ନିର୍ଭର ଭାରତକୁ ଶକ୍ତି ଦେବ । ବୁଧବାର ଠାରୁ ଆସନ୍ତା କିଛି ଦିନ ଯାଏ ବିସ୍ତାର ସୂଚନା ଅର୍ଥ ମନ୍ତ୍ରଣାଳୟ ଜରିଆରେ ଦେଶବାସୀଙ୍କୁ ଦିଆଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍‌ ସମ୍ପର୍କରେ ଲୋକଙ୍କୁ ବିସ୍ତୃତ ସୂଚନା ଦେବେ । ଦେଶରେ ଲକ୍‌ଡାଉନ୍‌ ଅବଧି ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଛନ୍ତି । ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କ’ଣ ସବୁ ବ୍ୟବସ୍ଥା ରହିବ ସେ ସମ୍ପର୍କରେ ଆସନ୍ତା ୧୮ ତାରିଖ ପୂର୍ବରୁ ସମସ୍ତଙ୍କୁ ଜଣାଇ ଦିଆଯିବ । ସଂଖ୍ୟାଧିକ ରାଜ୍ୟଗୁଡିକର ପରାମର୍ଶକ୍ରମେ ଲକ୍‌ଡାଉନ୍‌ ମାର୍ଗଦର୍ଶିକା ଜାରି କରାଯିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଙ୍କଟ ମାନବ ସମାଜ ପ୍ରତି ଏକ ଅଦ୍ଭୁତ ବିପଦ ଆଣିଦେଇଛି । କରୋନା ପୂର୍ବରୁ ଦେଶ ନିକଟରେ ଗୋଟିଏ ହେଲେବି ପିପିଇ ନଥିଲା । ବହୁତ କମ୍‌ ସଂଖ୍ୟକ ଏନ୍‌-୯୫ ମାସ୍କ ଥିଲା । ହେଲେ ଏବେ ଭାରତ ଆପତକାଳୀନ ସ୍ଥିତିକୁ ଖୁବ୍‌ ସହଜରେ ମୁକାବିଲା କରିଛି । ଦେଶରେ ଦୈନିକ ୨ ଲକ୍ଷ ପିପିଇ ଓ ୨ ଲକ୍ଷ ଏନ୍‌-୯୫ ମାସ୍କ ପ୍ରସ୍ତୁତ ହେଉଛି । ସମଗ୍ର ବିଶ୍ୱରେ ଆମକୁ ଏହି ସ୍ଥିତି ଆତ୍ମନିର୍ଭରଶୀଳ ହେବା ଶିକ୍ଷା ଦେଇଛି । ପ୍ରଧାମନ୍ତ୍ରୀ କହିଲେ ଯେ ଆମେ ଆତ୍ମନିର୍ଭରଶୀଳ ହେବା କହିବାର ଅର୍ଥ କେବଳ ଆମ କଥା ନୁହେଁ, ଆମେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରୁଛୁ । ଆତ୍ମନିର୍ଭରଶୀଳତା ଭାରତର ୫ଟି ସ୍ତମ୍ଭ ଉପରେ ରହିଛି । ତାହା ହେଉଛି ଭିତ୍ତିଭୂମୀ ବ୍ୟବସ୍ଥା, ଭୌଗୋଳିକ ସ୍ଥିତି, ଚାହିଦା ଓ ଅର୍ଥନୀତି । ଚାହିଦା ବଢ଼ିବା ପାଇଁ ଯୋଗାଣ କ୍ଷେତ୍ରର ସ୍ଥିତିକୁ ମଜଭୁତ କରିବାକୁ ହେବ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ ଥିବାବେଳେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୯ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଦ୍ୱିତୀୟ ଥର ମାର୍ଚ୍ଚ ୨୪ରେ ଦେଶବାସୀଙ୍କୁ ଲକ୍‌ଡାଉନ୍‌ର ଅବଧି ସମ୍ପର୍କରେ ସୂଚନା ଦେଇଥିଲେ । ସେ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୯ରେ ପହଞ୍ଚି ଥିଲା । ଏପ୍ରିଲ ୩ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୮ ଓ ୧୪ ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୬୩ରେ ଥିବାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କର ଆଭିମୁଖ୍ୟ ଜଣାଇଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଛି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବାର ସୂଚନା ଦେଇଛନ୍ତି ।

Comments are closed.