୨୦୨୨କୁ ଘୁଞ୍ଚିପାରେ ଟି-୨୦ ବିଶ୍ୱକପ୍‌

By Papu Mohanty

ନୂଆଦିଲ୍ଲୀ : May 15: ଚଳିତବର୍ଷ ଅକେଫାବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ୱକପ୍‌ ଖେଳାଯିବାର ଅଛି । କିନ୍ତୁ ଦିନକୁ ଦିନ କରୋନା ଭାଇରସ ଆତଙ୍କ ବଢ଼ୁଥିବାରୁ ବିଶ୍ୱକପ୍‌ ଆୟୋଜନ ସମ୍ଭବ ମନେ ହେଉନାହିଁ । ଆଗାମୀ ୨୮ ତାରିଖରେ ଆଇସିସିର ବିଶ୍ୱ ଗଭର୍ଣ୍ଣିଂ ବଡ଼ି ବୈଠକ ଅନୁଷ୍ଠିତ ହେବାର ଅଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟି-୨୦ ବିଶ୍ୱକପ୍‌କୁ ୨୦୨୨କୁ ସ୍ଥାନାନ୍ତର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ । ଏତଦ୍‌ଭିନ୍ନ ବଲରେ ଝାଲ ଓ ଲାଲ ଲଗାଇବା ଉପରେ ଆଲୋଚନା ହେବ । ଏହି ବୈଠକରେ ଆଇସିସିର ଇଭେଣ୍ଟ କମିଟି ମୁଖ୍ୟ କ୍ରିସ୍‌ ଟେଟଲି ଅଧ୍ୟକ୍ଷତା କରିପାରନ୍ତି । ଏହି ବୈଠକରେ ଏକାଧିକ ଦିଗ ଉପରେ ତର୍ଜମା ହୋଇପାରେ । ପ୍ରଥମତଃ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ଥିବା ଦର୍ଶକଙ୍କୁ ଟି-୨୦ ବିଶ୍ୱକପ ଦେଖିବା ପାଇଁ ଅନୁମତି ମିଳୁ । ନଚେତ ବିନା ଦର୍ଶକରେ ବିଶ୍ୱକପ୍‌ ଖେଳାଯାଉ । ତୃତୀୟ ପ୍ରସଙ୍ଗଟି ୨୦୨୨କୁ ବିଶ୍ୱକପ୍‌ ସ୍ଥାନାନ୍ତର କରାଯିବା ଉପରେ ଆଲୋଚନା ହୋଇପାରେ । ଆହୁରି ମଧ୍ୟ ଆଇସିସିର ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଆଉ ଦୁଇ ମାସ ବଢ଼ାଇବା ଆଲୋଚନା ହୋଇପାରେ । ସେହିଭଳି ଆଗାମୀ ନଭେମ୍ବର ଓ ଡିସେମ୍ବରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଖେଳାଯିବାର ଅଛି । ତେଣୁ ଏହି ଶୃଙ୍ଖଳାକୁ ବାତିଲ ନକରିବା ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ନୂଆ ପନ୍ଥା ଆପଣାଇବ । ଏହି ଶୃଙ୍ଖଳା ଆୟୋଜନ ହୋଇପାରିଲେ କ୍ରିକେଟ୍‌ ଅଷ୍ଟ୍ରେଲିଆର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସେହିଭଳି କିଛି ଦିନ ପାଇଁ ଆଇସିସିର ଅନୁଦାନରେ କାଣ୍ଟଛାଣ୍ଟ କରାଯାଇପାରେ । ଆଇପିଏଲ୍‌ ଉପରେ ସଭିଙ୍କ ନଜର ରହିବ । ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । କରୋନା ଭାଇରସ ଯୋଗୁଁ ନିର୍ଦ୍ଧାରିତ ସମୟରେ ଆଇପିଏଲର ୧୩ତମ ସଂସ୍କରଣ ଆୟୋଜନ ହୋଇପାରିନାହିଁ ।

Comments are closed.