୧୭ରେ ନିରାପତ୍ତା ପରିଷଦ ନିର୍ବାଚନ: ଭାରତ ଆସନ ପାଇବା ସମ୍ଭାବନା

ଜାତିସଂଘ: ଜୁନ ୦୩: ଆସନ୍ତା ୧୭ ତାରିଖରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲିଥିବା ୫ଟି ଅସ୍ଥାୟୀ ଆସନ ପାଇଁ ନିର୍ବାଚନ ହେବ । ଫ୍ରାନ୍ସ ନିରାପତ୍ତା ପରିଷଦର ସଭାପତି ଥିବାରୁ ଫ୍ରାନ୍ସ ଅଧ୍ୟକ୍ଷତାରେ ହିଁ ଏହି ର୍ନିବାଚନ ହେବ । ଭାରତ ଏହି ନିର୍ବାଚନରେ ବିଜୟୀ ହୋଇ ଗୋଟିଏ ଅସ୍ଥାୟୀ ଆସନ ଅକ୍ତିଆର କରିବା ଏକରକମ ନିଶ୍ଚିତ ଜଣାପଡ଼ୁଛି । କାରଣ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି । ଏହି ଆସନରୁ ଭାରତ ଛିଡ଼ା ହୋଇଥିବାବେଳେ ଅନ୍ୟ କୌଣସି ଦେଶ ଭାରତ ବିପକ୍ଷରେ ପ୍ରାର୍ଥୀ ହୋଇନାହାନ୍ତି । ଏଣୁ ଭାରତ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାର ସମ୍ଭାବନା ରହିଛି । ଭାରତର ସଦସ୍ୟତାକୁ ଏସୀୟ-ପ୍ରଶାନ୍ତ ମହାସାରୀୟ ଅଂଚଳର ୫୫ଟି ଦେଶ ଏପରିକି ଚୀନ ଓ ପାକିସ୍ତାନ ମଧ୍ୟ ସମର୍ଥନ କରିଛନ୍ତି । ଏହି ପରିଷଦରେ ମୋଟ ୧୫ ଟି ଦେଶ ସଦସ୍ୟ ରହିଥାନ୍ତି । ଏହା ମଧ୍ୟରୁ ୫ଟି ସ୍ଥାୟୀ ସଦସ୍ୟ ଓ ଅନ୍ୟ ୧୦ଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର । ସ୍ଥାୟୀ ସଦସ୍ୟମାନେ ହେଲେ ଆମେରିକା, ଋଷିଆ, ଚୀନ, ଫ୍ରାନ୍ସ ଓ ବ୍ରିଟେନ । ତେବେ ଅସ୍ଥାୟୀ ୧୦ଟି ଆସନ ମଧ୍ୟରୁ ୫ଟି ଏବେ ଖାଲି ରହିଛି । ଏହି ୫ଟି ଆସନ ପାଇଁ ହିଁ ର୍ନିବାଚନ ହେଉଛି । ନିର୍ବାଚିତ ହେବା ପରେ ଭାରତ ୨୦୨୧-୨୨ ପାଇଁ ଅସ୍ଥାୟୀ ସଦସ୍ୟ ରହିବ ।

Comments are closed.