୧୨ ବର୍ଷ ପରେ ଫୁଟିଲା ନୀଳକୁରିଞ୍ଜି ଫୁଲ

ଭୁବନେଶ୍ୱର: ଅଗଷ୍ଟ ୨: କେରଳର ଇଡ଼ୁକି ଜିଲ୍ଲାର ସୋଲାର ଜଙ୍ଗଲ (ତୃଣଭୂମି ଓ ଗୁଳ୍ମ ଜାତୀୟ ଜଙ୍ଗଲ)ରେ ୧୨ ବର୍ଷରେ ଥରେ ଫୁଟୁଥିବା ନୀଳକୁରିଞ୍ଜି ଫୁଲ ଫୁଟିଛି । ଏହା ଏକ ଦୁର୍ଲଭ ଜାତୀୟ ଫୁଲ । ନୀଳକୁରିଞ୍ଜି ଫୁଲ ମୋନେକାର୍ପିକ୍‌ ଜାତୀୟ ଗଛ । ଯାହା ଫୁଟିବା ମାତ୍ରେ ଧୀରେ ଧୀରେ ମଉଳିବାକୁ ଲାଗେ । ତେବେ ଆସନ୍ତା ଅକ୍‌ଟବର ମାସ ପର୍ଯ୍ୟନ୍ତ ଏହି ଫୁଲ ଜଙ୍ଗଲରେ ଫୁଟିବ । ଏହି ଫୁଲକୁ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ କରୋନା ଯୋଗୁ ଏ ବର୍ଷ ବାହାର ପର୍ଯ୍ୟଟକ ଆସିବାରେ ବାରଣ ରହିଛି । କିନ୍ତୁ ବର୍ତ୍ତମାନ ସେଠାରେ ସ୍ଥାନୀୟ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଯାଇଛି ।
କେରଳ ବ୍ୟତୀତ ଏହି ଫୁଲ ତାମିଲନାଡ଼ୁ ଓ କର୍ଣ୍ଣାଟକରେ ମଧ୍ୟ ଫୁଟେ । ଭାରତର ସଂସ୍କୃତିରେ ଏହି ଫୁଲର ବିଶେଷ ମହତ୍ୱ ରହିଛି । କେରଳର ମୁଥୁବନ ଜନଜାତି ଲୋକ ନୀଳକୁରିଞ୍ଜି ଫୁଲକୁ ପ୍ରେମର ପ୍ରତୀକ ଭାବେ ମାନିଥାନ୍ତି । ସ୍ଥାନୀୟ ସଂସ୍କୃତି ଅନୁସାରେ, ଭଗବାନ ମୁରୁଗା ମୁଥୁବନ ଜନଜାତିର ବେଲି ନାମକ ଜଣେ ଶିକାରୀ କନ୍ୟାଙ୍କୁ ଏହି ଫୁଲର ମାଳ ପିନ୍ଧାଇ ବିବାହ କରିଥିଲେ । ଏହି ଫୁଲକୁ କେରଲରେ ସୁଖସମୃଦ୍ଧିର ପ୍ରତୀକ ଭାବେ ମଧ୍ୟ ଲୋକମାନେ ମାନିଥାନ୍ତି । ଏହାଛଡ଼ା ପଶ୍ଚିମ ଘାଟିରେ ବସବାସ କରୁଥିବା ପଲିୟାନ ଜନଜାତି ଏହି ଫୁଲ ଫୁଟିବା ସମୟସୀମାକୁ ନେଇ ନିଜର ବୟସ ଗଣନା ମଧ୍ୟ କରିଥାନ୍ତି । ମୁନ୍ନାର ଠାରୁ ୪୫ କିଲୋମିଟର ଦୂରରେ କୁରୁଞ୍ଜିମାଲା ନାମକ ଏକ ଅଭୟାରଣ୍ୟ ରହିଛି । ଯାହା ୩୨ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ । ବିଶେକରି ଏହି ଫୁଲ ପାଇଁ ଏହି ଅଞ୍ଚଳଟି ସଂରକ୍ଷିତ ରହିଛି ।

Comments are closed.