ୟୁରୋପର ଉଚ୍ଚତମ ଶିଖରରେ ଚଢ଼ି ଭାରତର ଗର୍ବ ବଢ଼ାଇଲେ କମାଣ୍ଡୋ ଆଶିଷ୍‌

ଭୁବନେଶ୍ୱର, ଅଗଷ୍ଟ ୧୯: ଉତ୍ତରପ୍ରଦେଶ ପୋଲିସର (ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ)ର କମାଣ୍ଡୋ ଆଶିଷ୍‌ ଦୀକ୍ଷିତ ୟୁରୋପର ଉଚ୍ଚତମ ଶିଖର ‘ମାଉଣ୍ଟେନ ଏଲବ୍ରସ୍‌’ ଆରୋହଣ କରି ଭାରତର ଗର୍ବ ବଢ଼ାଇଛନ୍ତି । ମାଉଣ୍ଟେନର ୫ ହଜାର ୬୪୨ମିଟର ଶିଖରକୁ ଯାଇ କମାଣ୍ଡୋ ଭାରତର ଜାତୀୟ ପତାକା ଉଡାଇ ସେଠାରେ ସେ ୭୫ତମ ସ୍ୱତନ୍ତ୍ରତା ଦିବସ ପାଳିଛନ୍ତି । ଏଲବ୍ରସ୍‌ ଆରୋହଣ କରିବା ସମୟରେ ସେ ୬୦ କିଲୋମିଟରରୁ ଅଧିକ ଗତିରେ ପ୍ରବାହିତ ହେଇଥିବା ପବନ ଓ ୨୦ ଡିଗ୍ରୀ ସେଲସିଅସ୍‌ ତାପମାତ୍ରାକୁ ସହ୍ୟ କରିଥିଲେ । ତାଙ୍କ ସହିତ ଯାଇଥିବା ତିନି ଜଣ ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେବା ଯୋଗୁଁ ସେମାନେ ଶିଖର ଶୀର୍ଷରେ ପହଞ୍ଚିପାରିନଥିଲେ । କମାଣ୍ଡୋ ଆଶିଷ୍‌ ଏକାକୀ ଶିଖର ଆରୋହଣ କରିଥିଲେ । ଏହାପୂର୍ବରୁ ୨୦୨୦ରେ ସେ ଆଫ୍ରିକାର ସର୍ବୋଚ୍ଚ ଶିଖର ‘କିଲିମାଞ୍ଜାରୋ’ ଆରୋହଣ କରିଥିଲେ । ଏହାସହ ସେ ସାତୋଟି ମହାଦେଶର ଉଚ୍ଚତମ ଶିଖରକୁ ଆରୋହଣ କରିବାର ଆଶା ରଖିଛନ୍ତି । ଆର୍ଜେଣ୍ଟିନା ଓ ଦକ୍ଷିଣ ଆମେରିକାର ଉଚ୍ଚତମ ଶୃଙ୍ଗ ‘ମାଉଣ୍ଟ ଆକୋନକାଗୁଆ’ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି । ଆଷିଶ୍‌ ଏନସିସିରେ ଯୋଗ ଦେଇ ସେଠାରେ ଟ୍ରେନିଂ ନେଇଥିଲେ । ଏହାପରେ ସେ ସିକିମ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଶିଖରରୁ ଚଢ଼ିବା ଶିକ୍ଷା ଆରମ୍ଭ କରିଥିଲେ ।

Comments are closed.