ହିମାଚଳରେ ଭୂଖଳନ ୧୦ରୁ ଉର୍ଦ୍ଧ୍ୱ ମୃତ, ୨୦ ନିଖୋଜ

ଭୁବନେଶ୍ୱର, ଅଗଷ୍ଟ ୧୨: ହିମାଚଳର କିନ୍ନୌର ଜିଲ୍ଲାରେ ଗତକାଲି ଏକ ବଡ଼ ଧରଣର ଭୂଖଳ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ୍ୱ ପ୍ରାଣ ହରାଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଭୂଖଳନ ଯୋଗୁଁ ୫୦୦ ମିଟର ଗଭୀର ଘାଟିରେ ପଡ଼ିଥିବା ବସ୍‌ର ଭଗ୍ନାଶେଷ ଉଦ୍ଧାର କରାଯାଇଛି । ସେହିପରି ୨୦୦ ମିଟର ଗଭୀର ମାଟି ତଳେ ଦବିଯାଇଥିବା ପ୍ରାୟ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକାଧିକ ଗାଡ଼ି ମାଟି ଅତଡ଼ା ତଳେ ଫସି ରହିଥିବାରୁ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
କିନ୍ନୌର ଜିଲ୍ଲାରେ ନୁଗାଲସରି ରିକଙ୍ଗ ପିଓ ଓ ସିମଲା ଜାତୀୟ ରାଜପଥରେ ଏହି ଭୂଖଳ ହୋଇଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ବସ୍‌, କାର୍‌ ଓ ଅନ୍ୟାନ୍ୟ ଯାନବାହାନ ଉପରେ ହଠାତ୍‌ ଅତଡ଼ା ଖସିପଡ଼ିଥିଲା । ଏଥିରେ ଏକ ସରକାରୀ ବସ୍‌ ମଧ୍ୟ ରହିଥିଲା । ସ୍ଥାନୀୟ ବିଧାୟକ ଜଗତ ସିଂ ନେଗୀ ଘଟଣାସ୍ଥାଳକୁ ଯାଇ ଆଇଟିବିପି, ସ୍ଥାନୀୟ କର୍ତ୍ତୃପକ୍ଷ, ସେନା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ସହିତ ଉଦ୍ଧାର କାର୍ଯ୍ୟକୁ ଯାଞ୍ଚ କରୁଛନ୍ତି ।
ତେବେ ଉଦ୍ଧାରକାରୀମାନେ ପର୍ବତ ଉପରୁ ତଳକୁ ଶବ ଆଣିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା । ଲଗାତାର ବର୍ଷା ଓ ବାରମ୍ବାର ଭୂଖଳନରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।
ସୂଚନା ଥାଉଯେ, କିନ୍ନୌରରେ ଏହା ହେଉଛି ଦ୍ୱିତୀୟ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ । ଗତ ଜୁଲାଇ ମାସ୨୫ ରେ ଭୂଖଳ ହେବାରୁ ୯ ଜଣ ଲୋକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ରହିଥିଲେ ।

Comments are closed.