ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ; କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଫେରିପାରିବେ ପ୍ରବାସୀ

Edited by Papu Mohanty

କଟକ(ସ.ବୁ୍ୟ): 08/05: କରୋନା ସଂକ୍ରମିତମାନେ ରାଜ୍ୟକୁ ଫେରିପାରିବେ ନାହିଁ ବୋଲି ଓଡିଶା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌କୋର୍ଟ ରହିତାଦେଶ ଜାରି କରିଛନ୍ତ । ଏଥିସହ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ଅନୁପାଳନ କରିବାକୁ ସର୍ବୋଚ୍ଚ ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତ । ଗତକାଲି ପ୍ରବାସୀ ଓଡିଆଙ୍କ ଫେରିବା ଉପରେ ଓଡିଶା ହାଇକୋର୍ଟ କଟକଣା ଜାରି କରିଥିଲାବେଳେ ଆଜି ଏହି ଆଦେଶକୁ ଚାେଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ୍‌ ବି.ଆର. ଗଭାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତ । ଏଥିସହ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତ । ପ୍ରବାସୀ ଓଡିଆଙ୍କ ଫେରିବାକୁ ଚାଲେଞ୍ଜ କରି ହାଇକୋର୍ଟରେ ସମାଜସେବୀ ନାରାୟଣ ଜେନା ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବାସୀଙ୍କ ମଧ୍ୟରୁ ଯେଉଁମାନେ କରେନା ସଂକ୍ରମିତ ହୋଇନଥିବେ ଅର୍ଥାତ୍‌ ଯେଉଁମାନଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଥିବ କେବଳ ସେମାନେ ହିଁ ଓଡ଼ିଶାକୁ ଫେରିପାରିବେ ବୋଲି ଆଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଏକ ମାମଲା ରୁଜୁ ହୋଇଥିଲା।
ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟା ଜବାବ ରଖି ଦର୍ଶାଇଥିଲେ ଯେ, ଗତ ଏପ୍ରିଲ ୨୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀମାନେ କିପରି ଫେରିବେ ସେ ନେଇ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ପ୍ରବାସୀମାନେ ଫେରିବା ପୂର୍ବରୁ ସେମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେମାନେ ସୁସ୍ଥ ଥିବାର ଜଣାପଡେ ତାହେଲେ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରିବା ପାଇଁ ଅନୁମତି ଦିଆଯିବ । ପ୍ରବାସୀମାନଙ୍କୁ ବସ୍‌ରେ ନିଆଯିବ । ବସ୍‌ର ବିଶୋଧନ କରାଯିବ । ବସ୍‌ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖାଯିବ । ପ୍ରବାସୀମାନେ ସେମାନଙ୍କ ରାଜ୍ୟରେ ପହଞ୍ଚିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯିବ । ଯଦି ଆବଶ୍ୟକ ପଡେ ତାହେଲେ ସମ୍ପୃକ୍ତ ପ୍ରବାସୀଙ୍କୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ । ସେମାନଙ୍କର ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆହୁରିମଧ୍ୟ ଟ୍ରେନ୍‌ ଯୋଗେ ଯେଉଁ ପ୍ରବାସୀମାନେ ଆସିବେ ଟ୍ରେନ୍‌ ଚଢିବା ପୂର୍ବରୁ ସେମାନଙ୍କର ମଧ୍ୟ ଅନୁରୂପ ଭାବେ ସ୍କ୍ରିନିଂ କରାଯାଇ ଛଡାଯିବ ବୋଲି ସଲିସେଟର ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଥିଲେ । ସଲିସେଟର ଜେନେରାଲଙ୍କ ଏହି ଜବାବ ପରେ ସବୋର୍ଚ୍ଚ ଅଦାଲତ ମତଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଗାଇଡ୍‌ଲାଇନ୍‌ରେ ପ୍ରବାସୀଙ୍କୁ ଯଥେଷ୍ଟ ସୁରକ୍ଷା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ଗାଇଡ୍‌ଲାଇନକୁ ବୋଧହୁଏ ଓଡିଶା ହାଇକୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇନାହିଁ ଏବଂ ଏହି ଆଦେଶକୁ ମଧ୍ୟ ଚାଲେଞ୍ଜ କରାଯାଇ ନାହିଁ । ତେଣୁ ହାଇକୋର୍ଟଙ୍କ ଏହି ଆଦେଶ ଉପରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଜାରି କରିଛନ୍ତ ।

Comments are closed.