ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଟେଷ୍ଟ ପରେ ହିଁ ଓଡ଼ିଶାରେ ପ୍ରବେଶ କରିବେ ପ୍ରବାସୀ

ସୁରତ ଓ ବଙ୍ଗ ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା ଗୋଟିଏ ଦିନରେ ୨୪ ଆକ୍ରାନ୍ତ

Edited by Papu Mohanty

ଭୁବନେଶ୍ୱର : 07/05; ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଡେଉଁଥିଲାବେଳେ ଏହା ରାଜ୍ୟ ସରକାର ଓ ସର୍ବୋପରି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଇତି ମଧ୍ୟରେ ୧୮ଟି ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ଯେକୌଣସି ପ୍ରବାସୀଙ୍କୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଭଳି ଲୋକଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ, ଏବଂ ତା’ପରେ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ମିଳିବ ବୋଲି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଇତି ମଧ୍ୟରେ ଓଡ଼ିଶାର ୧୮ଟି ଜିଲ୍ଲାରେ ଉପସ୍ଥିତି ଜାହିର କରିଥିବା କରୋନା ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ବୁଧବାର କଟକ ଜିଲ୍ଲା ତିଗିରିଆ ଓ ଜଗତସିଂହପୁର, କେନ୍ଦ୍ରାପଡା ଓ ଗଞ୍ଜାମରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ସକାଳୁ ଗଞ୍ଜାମ ଏକାଥରରେ ୧୭ , ମଞ୍ଜରଭଞ୍ଜରେ ୪, ଜଗତସିଂହପୁର ୧ ଓ ବାଲେଶ୍ୱରରେ ୨ଜଣ ଏହିଭଳି ୨୪ଜଣ ଆକ୍ରାନ୍ତ ଖବର ମିଳିଥିଲାବେଳେ ସନ୍ଧ୍ୟାରେ ଗଞ୍ଜାମରେ ପୁନର୍ବାର ୧୭ ଓ ଭୁବନେଶ୍ୱର ଭିଏସ୍‌ଏସ୍‌ନଗର, ମଞ୍ଚେଶ୍ୱର, ସୂର୍ଯ୍ୟନଗରରେ ଜଣେ ଲେଖାଏଁ ଆକ୍ରାନ୍ତ ଜଣାପଡିବା ଘଟଣା ସରକାରଙ୍କ ମୁଣ୍ଡ ବିଗାଡି ଦେଇଛି । ଗଞ୍ଜାମର ୧୭ ଆକ୍ରାନ୍ତ ଓ ଜଗତସିଂହପୁର ବ୍ୟକ୍ତି ସୁରତ ଫେରନ୍ତା ହୋଇଥିଲାବେଳେ ବାଲେଶ୍ୱର ଓ ମୟୁରଭଞ୍ଜ ଆକ୍ରାନ୍ତ ପଞ୍ଚିମବଙ୍ଗରୁ ଆସିଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କର ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟକୁ ସାଧାରଣରେ ଆଶ୍ୱସ୍ତି ଆଣିଛି ।

Comments are closed.