ସୌମ୍ୟ ମୃତ୍ୟୁ ଘଟଣା ; ଡିଏଫଓ, ଥାନା ଓଆଇସି ଙ୍କୁ ଜେରା କରାଯିବ

ଭୁବନେଶ୍ୱର: ଜୁଲାଇ ୨୧: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି I ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପୋଲିସ ହାତରେ ଲାଗୁଛି ।
ଡିଏଫଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯିବ ବୋଲି ଗଜପତି ଏସ୍‌ପି ତପନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଆଇସି ମମତା କ’ଣ ପାଇଁ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ପାଖକୁ ଆସି ଅଟକାଇଥିଲେ ସେ ନେଇ ତାଙ୍କୁ ଜେରା କରାଯିବ ବୋଲି ଏସ୍‌ପି କହିବାସହ ତାଙ୍କୁ ବିଭାଗୀୟ ଅନୁମତି ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ।

ଏସିଏଫ୍ ସୌମ୍ୟଙ୍କ ହାତ ଲେଖା ଡାଏରୀ ପରେ ପୋଲିସ ନାଲି ରଙ୍ଗରେ ଲେଖାଥିବା ଆଉ ଏକ ଚିଠି ସରକାରୀ କ୍ୱାଟରରୁ ଜବତ କରିଥିବା ଜଣାପଡିଛି । ସେ ଚିଠି ବିଦ୍ୟାଭାରତୀ ଲେଖିଥିବା ସ୍ୱିକାର କରିଛନ୍ତି । କାହିଁକି ଲେଖିଛନ୍ତି ପ୍ରଶ୍ନ କରିବାରୁ ମନ ଖରାପ ଥିଲାବେଳେ ସେ ଏହି ଚିଠି ଲେଖିଛନ୍ତି ବୋଲି କହିଛନ୍ତି ।
ଏହି ଚିଠି ରେ ଲେଖା ଅଛି, ‘ଆଇ ହେଟ ୟୁ ଦି ମୋଷ୍ଟ ଇନ୍ ଦି ୱାର୍ଲ୍ଡ, ପ୍ଲିଜ୍ ଗଡ୍ ପାର୍ଡନ ମିଁ ଫର୍ ଅଲ ମାଇଁ ମିଷ୍ଟେକ୍‌, ଆଟଲିଷ୍ଟ ପ୍ଲିଜ୍ ଡୋଣ୍ଟ ସ୍ପଏଲ ମାଇଁ ଲାଇଫ୍ ପ୍ଲିଜ୍‌, କେମିତି ଆଉ ୩ଟା ଦିନ କଟିବ । ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ଆଇ ହେଟ୍ ଦି ମ୍ୟାନ ଇଭିନ୍ ହେଟ୍ କମ୍ୱାଇନ୍ ମାଇଁ ନେମ୍ ଉଇଥ୍ ହିମ୍ । ଗୋଟିଏ ଡିସିସନ୍ କେମିତି ଲାଇଫ ସ୍ପଏଲ କରିଦିଏ ଆଣ୍ଡ ଆଇ ସ୍ପଏଲ ମାଇଁ ଲାଇଫ୍ ଫର ଅଲ ମାଇଁ ସ୍ପଏଲ ଡିସିସନ୍‌’ ।
ଓଡିଆ ଓ ଇଂରାଜୀ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠି ନିଜେ ବିଦ୍ୟାଭାରତୀ ଲେଖିଥିବା ସ୍ୱୀକାର କରିଛନ୍ତି । ତେବେ ସେ ଯେତେବେଳେ ଦୁଃଖରେ ଥାଆନ୍ତି ମନର ଅକୁହା ବେଦନାକୁ ଚିଠିରେ ପ୍ରକାଶ କରିନ୍ତି ବୋଲି ବିଦ୍ୟାଭାରତୀ କହିଛନ୍ତି । ଏହି ଚିଠି ସହିତ ସୌମ୍ୟଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ମୁଁ ଯେତେବେଳେ ଏକୁଟିଆ ଥାଏ ମନର ଦୁଃଖକୁ ଲେଖେ । ସେଇଟା କାହା ଉଦ୍ଦେଶ୍ୟରେ ନଥିଲା । କାହା ପାଇଁ ମଧ୍ୟ ନଥିଲା । କେବେ କାହାକୁ ଆକ୍ଷେପ କରି କି କାହା ଉଦ୍ଦେଶ୍ୟରେ ଲେଖି ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।
ତେବେ ଏହି କାଗଜ ସାମ୍ନାକୁ ଆସିବା ପରେ, ଏବେ ସବୁଠୁ ବଡ ପ୍ରଶ୍ନ ହେଲେ ଏହି ଚିଠି କାହିଁକି ଲେଖାଯାଇଥିଲା । କିଏ ସେହି ବ୍ୟକ୍ତି ଯାହାକୁ ଏତେ ଘୃଣା କରୁଥିଲେ ବିଦ୍ୟାଭାରତୀ । କ\’ଣ ସୌମ୍ୟଙ୍କୁ ସେ ସତରେ ଏତେ ଘୃଣା କରୁଥିଲେ ଯେ, ତାଙ୍କ ନାଁ ସହ ନିଜ ନାଁ ଯୋଡିବାକୁ ବି ସେ ଚାହୁଁନଥିଲେ ?
ତଦନ୍ତ ଠିକ ଭାବେ ଚାଲିଛି ବୋଲି କହିଛନ୍ତି ଗଜପତି ଏସପି । ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ହୋଇଛି, ଭିଡିଓଗ୍ରାଫି ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏଯାଏଁ ମିଳିପାରିନି । ଏହା ଏକ ସମ୍ବେଦନଶୀଳ ମାମଲା, ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏସ୍‌ପି ।

 

Comments are closed.