ସୋମବାରଠୁ ଗଡ଼ିବ ଓଏସ୍‌ଆରଟିସି ବସ୍‌ ; ବିନା ମାସ୍କରେ ଯାତ୍ରା କରିବା ମନା

ପ୍ରଥମ ପଯ୍ୟାୟରେ ୬୬ଟି ରୁଟ୍‌ ୨୨ ସହରକୁ ୯୬ ବସ୍‌

ଭୁବନେଶ୍ୱର : ଜୁନ ୬: ସୋମବାର ଠାରୁ ଗଡ଼ିବ ବସ୍‌୍‌ । ରାଜ୍ୟର ୨୨ଟି ସହରର ୬୬ଟି ରୁଟ୍‌ରେ ବସ୍‌ ଚଳାଚଳ ଆରମ୍ଭ ହେବ । ଏହିପରିପ୍ରେକ୍ଷୀରେ ଓଏସ୍‌ଆରଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ, ଆମେ ଆମର ନିତିଦିନିଆ ସର୍ବସାଧାରଣଙ୍କ ପାଇଁ ବସ ସେବା ୯୬ଟି ବସ୍‌କୁ ନେଇ ଆସନ୍ତା ସୋମବାରଠାରୁ ଆରମ୍ଭ କରୁଛୁ । ଏହା ରାଜ୍ୟର ୨୨ଟି ସହରକୁ ରାଜଧାନୀ ସହିତ ଯୋଡିବ। ପଯ୍ୟାୟକ୍ରମରେ ଆମେ ଅଧିକାରୁ ଅଧିକା ରୁଟ୍‌ରେ ଅଧିକା ବସସେବା ଆରମ୍ଭ କରିବୁ । ସେ କହିଥିଲେ ଯେ, ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଅତିଥି ଶ୍ରମିକମାନଙ୍କର ନେବାଆଣିବା କାର୍ଯ୍ୟରେ ନିୟୋଜିତ ଥିଲୁ। ବିଭିନ୍ନ ଜିଲ୍ଲା ଅଧିକାରୀମାନଙ୍କ ଅନୁରୋଧ ଅନୁଯାୟୀ ଆମେ ବସ ଚଲାଇଥିଲୁ । ‘ସମୁଦାୟ ୪୪୦ଟି ବସ ମଧ୍ୟରୁ ୭୦ ପ୍ରତିଶତ ବସ ଅତିଥି ଶ୍ରମିକମାନଙ୍କ ସେବାରେ ନିୟୋଜିତ ଥିଲା । ବର୍ତ୍ତମାନ ସେହି କାମ ପ୍ରାୟ ସରିଆସିଥିବାରୁ ଏବଂ ଏତିକି ମଧ୍ୟରେ ସର୍ବସାଧାରଣଙ୍କ ତରଫରୁ ବସ ସେବା ଆରମ୍ଭ କରିବା ଅନୁରୋଧକୁ ରଖିବାପାଇଁ ଆମପାଖରେ ବାକିଥିବା ବସକୁ ସୋମବାରଠାରୁ ସାଧାରଣ ସେବାରେ ଆରମ୍ଭ କରାଯାଉଛି । ବିନା ମାସ୍କରେ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ । କୌଣସି ଯାତ୍ରୀ ଠିଆହୋଇ ମଧ୍ୟ ଯାଇପାରିବେନାହିଁ । ଜନସାଧାରଣ ଓ ବସ୍‌ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତି ନିଆଯାଇଛି । ଜରୁରୀକାଳିନ ଆବଶ୍ୟକ ନଥିଲେ ବସରେ ଯାତ୍ରା କରନ୍ତୁ ନାହିଁ ଓ ବସଷ୍ଟାଣ୍ଡରେ ବସରେ ଚଢ଼ିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ଅନୁଗୁଳ, କେନ୍ଦୁଝର, ପୁରୀ, ବ୍ରହ୍ମପୁର, ଭଞ୍ଜନଗର, ଫୁଲବାଣୀ, ଜୟପୁର, ମାଲକାନାଗିରି, ନବରଙ୍ଗପୁର, ରାୟଗଡା, ପାରଳାଖେମୁଣ୍ଡି, ସମ୍ବଲପୁର, ବରଗଡ, ରାଉରକେଲା, ପଦ୍ମପୁର, ନୂଆପଡା, ବଲାଙ୍ଗିରୀ, ଭବାନୀପାଟଣା, ସୁନ୍ଦରଗଡ ଓ ଦେବଗଡ ସହରର ଏହି ବସ୍‌ ସେବା ଉପଲବ୍ଧ ହେବ ।

Comments are closed.