ସେନାକୁ ମିଳିଲା ଅଖଣ୍ଡ କ୍ଷମତା; ଚୀନ୍‌ ଉସୁକାଇଲେ ଏଥର ଗୁଳିରେ ଜବାବ

0

ନୂଆଦିଲ୍ଲୀ : ଜୁନ ୨୧: ପୂର୍ବ ଲଦାଖର ଗଲୱାନ ଘାଟି ଅଞ୍ଚଳରେ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା ପରଠାରୁ ଉତ୍ତେଜନା ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବାରମ୍ବାର ସାମରିକ ତଥା କୂଟନୈତିକସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସବୁ ବିଫଳ ହୋଇଛି । ଏପରିକି ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲଦାଖ ସୀମା ପରିସ୍ଥିତିକୁ ଦୃଷ୍ଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରିଛନ୍ତି । ବୈଠକରେ ତିନି ବାହିନୀର ମୁଖ୍ୟଙ୍କ ବ୍ୟତୀତ ସିଡିଏସ୍‌ ବିପିନ ରାୱତ ଯୋଗ ଦେଇଥିଲେ । ଏହି ବୈଠକରେ ଲଦାଖର ସମଗ୍ର ସ୍ଥିତି ଏବଂ ପ୍ରକୃତ ନିୟନ୍ତ୍ରଣର ରେଖା(ଏଲଏସି)ରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା । ସୂଚନା ମୁତାବକ ଭାରତ ଏଲଏସି ଉପରେ ଉତ୍ତେଜନାକୁ ପ୍ରୋତ୍ସାହିତ କରେ ନାହିଁ । କି;ୁ ଯଦି ବିରୋଧୀ ତାହା କରନ୍ତି ତେବେ ସେମାନଙ୍କୁ ଉଚିତ ଜବାବ ଦିଆଯିବ । ୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ମଧ୍ୟ ସେନାକୁ ସ୍ୱାଧିନତା ଦିଆଯାଇଛି । ରବିବାର ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେନା ସୀମାର ସ୍ଥିତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏ ନେଇ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଚୀନ ସେନା କୌଣସି ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କଲେ ଏହାର ଦୃଢ ଜବାବ ଦେବାକୁ ସେନାବାହିନୀକୁ ଅଖଣ୍ଡ ସ୍ୱାଧୀନତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ପଷ୍ଟ ସଙ୍କେତ ଦେଇସାରିଛନ୍ତି । ଗତ ୧୫ ତାରିଖ ରାତିରେ ଚୀନ୍‌ ସେନା ଗଲଓା୍ୱନ୍‌ ଘାଟିରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । ଏହି ବର୍ବରୋଚିତ ଘଟଣାରେ ୨୦ ଭାରତୀୟ ଯବାନ ସହିଦ୍‌ ହୋଇଥିଲେ । ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ଚୀନର ପ୍ରାୟ ୪୩ ଜଣ ସୈନ୍ୟ ନିହତ ହୋଇଥିବା ଜଣାପଡିଥିଲା । ଘଟଣା ପରେ ପରେ ପ୍ରତିରକ୍ଷା ମନ୍ତ୍ରୀ ସେନା ମୁଖ୍ୟଙ୍କ ସହିତ ଏକାଧିକ ଥର ଆଲୋଚନା କରିଛନ୍ତି । ଭାରତ ଏବେ ସ୍ଥଳ, ଆକାଶ ଏବଂ ଜଳ ପଥରେ ସୁରକ୍ଷାକୁ ଅଧିକ କଡାକଡି କରିଛି ।

Leave A Reply

Your email address will not be published.