ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କ ଅଧିକାର ସମାନ

ଭୁବନେଶ୍ୱର : ଅଗଷ୍ଟ ୧୧:ଏଣିକି ପୈତୃକ ସମ୍ପତ୍ତିରେ ପୁଅ ସହିତ ଝିଅଙ୍କର ମଧ୍ୟ ସମାନ ଭାଗ ରହିବ । ସମ୍ପତ୍ତି ବଣ୍ଟନ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର ପୁଣି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଦେଶର ସର୍ବୋଚ୍ଚ କୋର୍ଟ ମଧ୍ୟ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଉତ୍ତରାଧିକାରୀ ଭାବରେ ବିବେଚନା କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ବେଞ୍ଚ ଏହି ରାୟ ପ୍ରଦାନ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଝିଅମାନେ ସର୍ବଦା ଝିଅ ହୋଇ ରହିଥାନ୍ତି । ପୁଅମାନେ କେବଳ ବିବାହ ପର୍ଯ୍ୟନ୍ତ ହିଁ ପୁଅ ହୋଇ ରହିଥାନ୍ତି ।
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଏହା ଉତ୍ତରାଧିକାର ଅଧିନିୟମ ୨୦୦୫ ରେ ସଂଶୋଧନର ଏକ ବ୍ୟାଖ୍ୟା ଅଟେ । ଏହି ସଂଶୋଧନରେ ପୂର୍ବରୁ ମଧ୍ୟ ଆଇନ ଥିଲା ଯେ ଯଦି ଝିଅର ବାପାଙ୍କ ମୃତ୍ୟୁ ଘଟୁଛି ତେବେ ସେ ମଧ୍ୟ ସମ୍ପତ୍ତିରେ ପୁଅମାନଙ୍କ ସହ ସମାନ ଅଂଶ ବା ଅଧିକାର ପାଇବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନଥିଲା ଯଦି ୨୦୦୫ ପୂର୍ବରୁ କୌଣସି ଝିଅ କିମ୍ବା ମହିଳାଙ୍କ ପିତାଙ୍କର ମୃତ୍ୟୁ ଘଟିଥିବ ତେବେ ଏଭଳି ପରିସ୍ଥିତିରେ କଣ କରାଯିବ ? ସୁପ୍ରିମକୋର୍ଟଙ୍କ ମଙ୍ଗଳବାରର ଏହି ନିଷ୍ପତ୍ତି ଏହି ବିବାଦ ବା ଏହି ପ୍ରଶ୍ନର ସମାଧାନ କରିଛି ।

Comments are closed.