ସୁନ୍ଦରବନରେ କଲା ଲ୍ୟାଣ୍ଡଫଲ: ଅମ୍ଫାନର ତାଣ୍ଡବ: ଦୁଇ ମୃତ

-ଘଣ୍ଟା ପ୍ରତି ପବନର ବେଗ ୧୫୫ରୁ ୧୬୫ କିମି - ୪ଘଣ୍ଟା ରହିଲା ପରେ ସୁନ୍ଦରବନ ଛାଡିଲା ବାତ୍ୟା - କୋଲକାତାରେ କେନ୍ଦ୍ରୀଭୂତ, ଓଡ଼ିଶାରେ ୨ମୃତ - ଓଡ଼ିଶାରେ ୪ ଜିଲ୍ଲାରେ ପ୍ରଭୂତ କ୍ଷତି

Edited by Papu Mohanty

ଭୁବନେଶ୍ୱର : May 20: ଅତି ଭୟଙ୍କର ରୂପ ଧାରଣ କରି ମହାବାତ୍ୟା ‘ଅମ୍ଫାନ’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି । ଅମ୍ଫାନର ଘଣ୍ଟାପ୍ରତି ବେଗ ୨୫ କିମି ଥିବାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ ୪ଘଣ୍ଟା ସମୟ ଲାଗିଥିଲା । ସେତେବେଳେ ଏହାର ପରିଧି ୧୨୦ କିମି ଥିବା ବେଳେ ତାର କେନ୍ଦ୍ରସ୍ଥଳର ଆଖିର ପରିଧି ଥିଲା ୩୦ କିମି । ପ୍ରାୟ ଚାରି ଘଣ୍ଟା ତାଣ୍ଡବ ରଚିଲା ପରେ ମହାବାତ୍ୟା କୋଲକାତାରେ କେନ୍ଦ୍ରୀଭୂତ ହୋଇଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଥିଲା । ପରେ ତାର ପକୋପ କମିଥିଲା । ତେବେ ଏଥିଯୋଗୁଁଁ ୪ରୁ ୫ ମିଟର ଉଚ୍ଚତାରେ ସମୁଦ୍ର ଜୁଆର ସ୍ଥଳଭାଗ ଆଡ଼କୁ ଜୁଆର ମାଡ଼ି ଆସିଥିଲା । ଓଡ଼ିଶାରେ ଚାରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ସହ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ବୁଧବାର ସଂନ୍ଧ୍ୟାରେ କହିଥିଲେ, ଓଡିଶାର ପାରାଦୀପ, ଗୋପାଳପୁର ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଡୋପଲର୍‌ ରାଡାର ଆଧାରରେ ଘଣ୍ଟାକୁ ଘଣ୍ଟା ରିପୋର୍ଟ ଦେବା ସମ୍ଭବ ହେଉଥିଲା । ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନ କେନ୍ଦ୍ରୀୟ ବଙ୍ଗୋପ ସାଗରରୁ ଉତ୍ତର-ପୂର୍ବ ଦିଗକୁ ଗତି କରି ଅତି ଭୟଙ୍କର ରୂପ ନେଇଥିଲା । ତାହା ସୁପର ସାଇକ୍ଲୋନ ରୂପ ନେଇଥିଲା । ମାତ୍ର ସୁମଦ୍ର ଭିତରେ ଅମ୍ଫାନର ପ୍ରକୋପ କମି ‘ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନ୍‌’ରେ ରୂପାନ୍ତରିତ ହୋଇଥିଲା । ତେଣୁ ପବନର ବେଗ ଘଣ୍ଟା ପ୍ରତି ୨୬୫ କିମିକୁ ଟପି ନଥିଲା । ତାହା ୧୫୫ କିମିରୁ ୧୬୫ କିମି ମଧ୍ୟରେ ସୀମିତ ରହିଥିଲା । ତାହା ୨୦ ତାରିଖ ସଂନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗର ଦିଘା ଓ ବଙ୍ଗଳାଦେଶର ହାତିଆ ମଧ୍ୟରେ ଥିବା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ ହୋଇଥିଲା । ସେହି ଅନୁସାରେ ମହାବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି । ହେଲେ ସ୍ଥଳଭାଗ ଛୁଇଁଲା ପରେ ସାମୁଦ୍ରିକ ଝଡ଼ ବାଙ୍ଗଲାଦେଶ ଅଭିମୁଖେ ନ ଯାଇ ପଶ୍ଚିମବଙ୍ଗର ରାଜଧାନୀ କୋଲାକାତାରେ କେନ୍ଦ୍ରୀଭୂତ ହୋଇଛି ।
ଶ୍ରୀ ମହାପାତ୍ର କହିଥିଲେ, ଲ୍ୟାଣ୍ଡଫଲ ସମୟରେ ମହାବାତ୍ୟାର ପ୍ରକୋପ ଯେଉଁଭଳି ହେବ ବୋଲି ଆକଳନ ହୋଇଥିଲା ତାହା ସାମାନ୍ୟ ହ ୍ରାସ ପାଇଥିଲା । ‘ସୁପର ସାଇକ୍ଲୋନ୍‌’ରୁ ‘ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନ୍‌’କୁ ଖସି ଆସିଥିଲା । ତେବେ ଅମ୍ଫାନର ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଥିଲା । ସେଥିପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟାକୁ ୪ଘଣ୍ଟା ଲାଗିଥିଲା । ଏହାର ପରିଧି ୧୨୦ କିମି ଥିବା ବେଳେ ‘ଆଇ’ର ପରିଧି ଥିଲା ୩୦ କିମି । ଲ୍ୟାଣ୍ଡଫଲ୍‌ ଶେଷ ମୁହୂର୍ତ୍ତରେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଭିତରେ ଥିଲା । ପରେ ୧୫୫ କିମି ବେଗରେ ପବନ ବୋହିଥିଲା । ଦୀଘା ଅଞ୍ଚଳରେ ୪ରୁ ୫ ଫୁଟ ଉଚ୍ଚତାରେ ସମୁଦ୍ର ଜୁଆର ଉଠିଛି । ବାତ୍ୟାର ‘ଆଇ’ ବା ଆଖି ଯେତେବେଳେ ଅତିକ୍ରମ କରେ ସେତେବେଳେ ତାଣ୍ଡବ ରଚିଥାଏ । ବାତ୍ୟାର ପଛ ଭାଗ ବା ପ୍ରାଚୀର ସମୁଦ୍ରରୁ ସ୍ଥଳଭାଗକୁ ପ୍ରବେଶ କରେ ସେତେବେଳେ ଆଉଥରେ ବାତ୍ୟା ଅତିକ୍ରମ କରୁଥିବା ସ୍ଥାନରେ ପ୍ରବଳ ପବନ ସହ ବର୍ଷା ହୋଇଥାଏ । ଯାହାକୁ ଝଡ଼ ଲେଉଟିଲା ବୋଲି କୁଯାଯାଏ । ତେଣୁ ଓଡ଼ିଶାରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରାତି ୮ଟା ପର୍ଯ୍ୟନ୍ତ ବର୍ଷା ସହ ପବନ ଅବ୍ୟାହତ ରହିଥିଲା ।
ଓଡ଼ିଶା ଦେଇ ଅମ୍ଫାନ ଅତିକ୍ରମ କରୁଥିଲାବେଳେ ପାରାଦ୍ୱୀପରେ ପବନର ବେଗ ଘଣ୍ଟା ପ୍ରତି ୯୪ କିମି ଓ ବର୍ଷାର ପରିମାଣ ୧୫୪.୫ ମିଲିମିଟର ଥିଲାବେଳେ ବାଲେଶ୍ୱରରେ ୯୧ ଓବର୍ଷାର ପରିମାଣ ୭୬.୬ ମିଲିମିଟର, ଚାନ୍ଦବାଲିରେ ୮୦ କିମି ଓ ବର୍ଷାର ପରିମାଣ ୨୨୦.୫ ମିଲିମିଟର, ଭୁବନେଶ୍ୱରରେ ୩୫ କିିମି ଓ ବର୍ଷାର ପରିମାଣ ୭୧.୯ ମିଲିମିଟର, ପୁରୀରେ ୨୬ କିମି ଓ ର୍ଷାର ପରିମାଣ ୧୧୧.୧ ମିଲିମିଟର ଏବଂ ଗୋପାଳପୁରରେ ପବନ ୭ କିମି ଓ ବର୍ଷା ୮.୬ ମିମି ହୋଇଥିବା ରେକର୍ଡ କରାଯାଇଛି ।

Comments are closed.