ସି-ଭୋଟର ସର୍ଭେ; ପୁଣି ନବୀନ ନମ୍ବର ୱାନ୍‌

ଭୁବନେଶ୍ୱର : ଜୁନ ୦୨:ପୁଣି ନବୀନ ନମ୍ବର ୱାନ୍‌ । ସର୍ବେକ୍ଷଣ ସଂସ୍ଥା ସି ଭୋଟର ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଷ୍ଟେଟ ଅଫ ଦି ନେସନ ୨୦୨୦ -ମେ ସର୍ଭେ ପରେ ଏହି ତଥ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ନବୀନ ୮୨ ଦଶମିକ ୯୬ ପ୍ରତିଶତ ମତ ସହ ତାଲିକାର ଶୀର୍ଷରେ ରହିଛନ୍ତି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ୮୧ ଦଶମିକ ଶୂନ ୬ ପ୍ରତିଶତ ମତ ସହ ଦ୍ୱିତୀୟରେ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ ୮୦ ଦଶମିକ ଦୁଇ ଆଠ ପ୍ରତିଶତ ମତ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡି , ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥାହେଲା ପ୍ରଥମ ୬ଟି ସ୍ଥାନରେ ବିଜେପିର ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ସ୍ଥାନ ପାଇନାହାଁନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଦର୍ଶନରେ ଓଡିଶା ଅଧିକ ସନ୍ତୁଷ୍ଠ ଥିବା କୁହାଯାଇଛି । ଦେଶ ସଂପ୍ରତି କରୋନା ମୁକାବିଲା କରୁଥିଲାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ସମୟରେ, ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା । ସି ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ୬୫% ରହିଛି ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ଜଣାପଡିଛି । ଦେଶର ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୩୦୦୦ ରୁ ଅଧିକ ଲୋକଙ୍କ ପ୍ରତିକ୍ରିୟାକୁ ଭିତ୍ତିକରି ଏହି ରିପୋର୍ଟ ପ୍ରକାଶ ପାଇଛି ।

Comments are closed.