ଅବୁଲ କଲାମ ଆଜାଦ
ଶୁଭ ଜନ୍ମଦିନ
ଜଣେ ଭାରତୀୟ ବୁଦ୍ଧିଜୀବୀ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟ କଂଗ୍ରେସର ବରିଷ୍ଠ ନେତାଭାବେ ପରିଚିତ ଥିଲେ ଅବୁଲ କଲାମ ଆଜାଦ । ତାଙ୍କ ଜନ୍ମ ୧୮୮୮ ମସିହା ନଭେମ୍ବର ୧୧ରେ ହୋଇଥିଲା । ମୌଲାନ ଆଜାଦ ନାମରେ ପ୍ରସିଦ୍ଧ ଏହି ନେତା ଥିଲେ ସ୍ୱାଧୀନତା ପରବର୍ତ୍ତୀ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ । ମୌଲାନା ହେଉଛି ତାଙ୍କୁ ପ୍ରଦତ୍ତ ଏକ ସମ୍ମାନଜନକ ଉପାଧି । ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ରୂପରେଖ ଦେବାରେ ତାଙ୍କର ଅବଦାନକୁ ଚିର ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଭାରତରେ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଛି । ଯୁବକ ସମୟରୁ ଆଜାଦ କବିତା ରଚନା କରିବା ତଥା ଧର୍ମ ଏବଂ ଦର୍ଶନ ସମ୍ବନ୍ଧୀୟ ଗ୍ରନ୍ଥ ରଚନା କରିବାରେ ସିଦ୍ଧହସ୍ତ ଥିଲେ । ଜଣେ ସାମ୍ବାଦିକ ଭାବେ ବ୍ରିଟିଶ ରାଜତ୍ୱ କାଳରେ ମହତ୍ତ୍ବପୂର୍ଣ୍ଣ ଘଟଣା ସବୁର ସମୀକ୍ଷା କରିବା ସହ ଭାରତୀୟଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିବାରେ ତାଙ୍କର ଅନେକ ଲେଖା ସେ ସମୟରେ ବହୁ ବିଜ୍ଞ ବ୍ୟକ୍ତିଙ୍କଦ୍ୱାରା ଆଦୃତ ହୋଇଥିଲା । ଖିଲାଫତ ଆନ୍ଦୋଳନର ନେତୃତ୍ୱ ନେବାବେଳେ ସେ ମହତ୍ମା ଗାନ୍ଧୀଙ୍କ ନିକଟ ସଂସ୍ପର୍ଶରେ ଆସିଥିଲେ । ସ୍ୱଦେଶୀ ଏବଂ ସ୍ୱରାଜ ସମ୍ବନ୍ଧରେ ଗାନ୍ଧୀଙ୍କ ବିଚାରଧାରା ପ୍ରଚାର କରିବାରେ ନିଜର ପ୍ରତିବଦ୍ଧତା ପରିପ୍ରକାଶ କରିଥିଲେ । ୧୯୨୩ ମସିହାରେ ମାତ୍ର ୩୫ ବର୍ଷ ବୟସରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ପଦ ଅଳଂକୃତ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଥିଲେ । ଅକେଫାବର ୧୯୨୦ରେ ମୌଲାନା ଅବୁଲ କାଲାମ ଆଜାଦ ଆଲିଗଡରେ ପ୍ରସ୍ତାବିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଫାଉଣ୍ଡେସନ କମିଟିର ସଦସ୍ୟ ହୋଇଥିଲେ । ତତ୍କାଳୀନ ବ୍ରିଟିଶ କଲୋନିଆଲ ସରକାରଙ୍କ କୌଣସି ସାହାଯ୍ୟ ବିନା ଏହି ଅନୁଷ୍ଠାନ ଗଢିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଆଲିଗଡରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଇବାରେ ତାଙ୍କର ଭୂମିକା ପ୍ରଶଂସନୀୟ । ଉକ୍ତ ଅନୁଷ୍ଠାନର ମୁଖ୍ୟ କ୍ୟାମ୍ପସ ଅନ୍ତର୍ଗତ ମୁଖ୍ୟ ଫାଟକ (ଫାଟକ ସଂଖ୍ୟା- ୭) ତାଙ୍କ ନାମରେ ନାମିତ । ତାଙ୍କଦ୍ୱାରା ପ୍ରକାଶିତ ଏକ ଖବର କାଗଜ "ଅଲ୍-ହିଲାଲ' ମାଧ୍ୟମରେ ସେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ସଦ୍ଭୁାବନା ସୃଷ୍ଟି କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ । ଏହି ମହାନ୍ ରାଜନେତାଙ୍କର ୨୨ ଫେବୃଆରୀ ୧୯୫୮ରେ ଦେହାନ୍ତ ହୋଇଥିଲା ।


