ସହମତିରେ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ : ହାଇକୋର୍ଟ

Reported by Prafulla Mohanty

କଟକ, (ସବୁ୍ୟ): ମେ ୨୩:ଯଦି ଉଭୟଙ୍କ ମଧ୍ୟରେ ସହମତି ଭିତିରେ ସମ୍ପର୍କ ରହିଥାଏ ତାହେଲେ ଏହାକୁ ବଳାତ୍କାର ବୋଲି ଗ୍ରହଣ କରାଯିବ ନାହିଁ । ବିଶେଷଭାବେ କୁହାଯାଇ ପାରିବ କି’, ଯଦି ଜଣେ ମହିଳା ନିଜ ଇଛାରେ କାହା ସହ ସମ୍ପର୍କ ରଖିଛନ୍ତି ତାହେଲେ ଏ କ୍ଷେତ୍ରରେ ବଳାତ୍କାର ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଏଭଳି ଏକ ମାମଲାରେ ଅଭିଯୁକ୍ତ ଥିବା ଆବେଦନକାରୀଙ୍କ ଜାମିନ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଜାମିନ ଆବେଦନ ବାବଦରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ବିଚାରପତି ଏସ.କେ.ପାଣିଗ୍ରାହୀ ଖାରଜ କରିଦେଇଛନ୍ତି । ଫଳରେ ଅଭିଯୁକ୍ତକୁ ଜାମିନ ମିଳିବା ସ୍ପଷ୍ଟ ହୋଇଛି । ଆବେଦନକାରୀ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାର ଜି.ଅଚୁ୍ୟତ କୁମାର ୨୦୧୯ ନଭେମ୍ବର ୧୯ତାରିଖରୁ ଗିରଫ ହୋଇ ଜେଲରେ ଥିଲା ବେଳେ ଏଥର ମୁକୁଳିବାର ବାଟ ସଫା ହୋଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ଜି.ଅଚୁ୍ୟତ କୁମାର ଏବଂ ତାଙ୍କ ଗ୍ରାମର ଏକ ୧୯ବର୍ଷର ଝିଅ ମଧ୍ୟମରେ ସୁସମ୍ପର୍କ ଥିଲା । ତେବେ ୨୦୧୯ ମସିହା ନଭେମ୍ବର ୧୭ତାରିଖରେ ଉକ୍ତ ଝିଅଟି ପଟାଙ୍ଗୀ ଥାନାରେ ଜି.ଅଚୁ୍ୟତ କୁମାରଙ୍କ ବିରୁଦ୍ଧରେ ଏକ ଏତଲା ରୁଜୁ କରିଥିଲା । ସେ ଉକ୍ତ ଏତଲାରେ ଜି.ଅଚୁ୍ୟତ କୁମାର ତାକୁ ମିଥ୍ୟା ପ୍ରଲୋଭନ ଦେଖାଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ସହ ଦୁଇଥର ଗର୍ଭବତୀ କରାଇଥିଲା । ପରେ ଗର୍ଭ ନଷ୍ଟ ପାଇଁ ମେଡିସିନ ଦେଇ ଗର୍ଭପାତ କରାଇଥିଲା । ଏହି ଅଭିଯୋଗ ଆସିଲା ପରେ ପଟାଙ୍ଗୀ ପୋଲିସ ଜି.ଅଚୁ୍ୟତକୁ ଗିରଫ କରିବା ସହ ଜେଲକୁ ପଠାଇ ଦେଇଥିଲା । ସେହିବର୍ଷ ଆବେଦନକାରୀଙ୍କ ଜାମିନ ଆବେଦନର ଶୁଣାଣି କରି ଡିସେମ୍ବର ୧୯ତାରିଖରେ କୋରାପୁଟ ଜୟପୁରର ସ୍ୱତନ୍ତ୍ର ଅଦାଲତ ଜି.ଅଚୁ୍ୟତ କୁମାରଙ୍କ ଆବେଦନକୁ ଖାରଜ କରିଦେଇଥିଲା । ଏହାକୁ ବିରୋଧ କରି ଜି.ଅଚୁ୍ୟତ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ ଯୁକ୍ତି ଉପସ୍ଥାପନ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଆପିସିର ଧାରା ୩୭୬ ପ୍ରଯୁଜ୍ୟ ନୁହେଁ । ଏହି ଦଫା ଅଭିଯୁକ୍ତଙ୍କ ବିରୁଦ୍ଧରେ ଲଗାଗଲେ ତାଙ୍କର ଭବିଷ୍ୟତ ନଷ୍ଟ ହୋଇଯିବ । ସରକାରଙ୍କ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଥିଲା ବେଳେ ମାନ୍ୟବର ହାଇକୋର୍ଟ ଉଭୟଙ୍କ ଯୁକ୍ତିକୁ ବିଚାରକୁ ନେଇ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଥିବା ସହ ଗତ ୪ବର୍ଷ ଧରି ପ୍ରେମ ସମ୍ପର୍କ ମଧ୍ୟ ରହିଥିବା ପ୍ରାଥମିକ ପ୍ରମାଣରୁ ଜାଣିବାକୁ ମିଳିଛି । ଏକଥା ମଧ୍ୟ ପୀଡିତା ସ୍ୱୀକାର କରିଛନ୍ତି । ଏକଥା ମଧ୍ୟ ସତ୍ୟ ଯେ, ଆବେଦନକାରୀ ଅଭିଯୁକ୍ତ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପୀଡିତା ସହ ସମ୍ପର୍କ ରହିଥିଲେ ମଧ୍ୟ ତାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ଥିବାର ପ୍ରମାଣ ନାହିଁ । ତେଣୁ ଉଭୟ ଅଭିଯୁକ୍ତ ଏବଂ ପୀଡିତାର କଥାକୁ ବିଚାରକୁ ନେଲେ ପୀଡିତା ଜଣେ ସାବାଳିକା ଏବଂ ସୁସ୍ଥ ମାନସିକତାର ହୋଇଥିବାରୁ ତାଙ୍କୁ କେହି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାଧ୍ୟତାମୂଳକ ଭାବେ ଶାରିରୀକ ସମ୍ପର୍କ ରକ୍ଷା କରିବାର ପ୍ରଶ୍ନ ଉଠୁନାହିଁ । ଏହାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ, ଆଜି ବି’ ଆମ ସମାଜ ଯୌନକ୍ରିୟା କିମ୍ବା ତଦ୍‌ଜନୀତ କୌଣସି ଘଟଣାକୁ ନେଇ ରକ୍ଷଣଶୀଳ । କୁମାରୀତ୍ୱକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇ ଆସୁଛି । ଯଦି ବି’ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିଥାଏ ଏବଂ ତାହାସତ୍ତେ୍ୱ ଏହାକୁ ଅଭିଯୁକ୍ତ ଅସ୍ୱୀକାର କରୁଥାନ୍ତି ତଥାପି ତାହା ବଳାତ୍କାର ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣକ ସହ ଶାରିରୀକ ସମ୍ପର୍କ ରଖିବା ବଳାତ୍କାର କି’ ନୁହେଁ ସେ ସମ୍ପର୍କରେ ହାଇକୋର୍ଟ ବିଭିନ୍ନ ଅଦାଲତର ନଜିର ଏଠାରେ ଉଲ୍ଲେଖ କରିଛନ୍ତି । ଶେଷରେ ହାଇକୋର୍ଟ ଏହି ଇସୁ୍ୟ ଉପରେ ଆଇନ ପ୍ରଣେତାମାନଙ୍କର ଆଭିମୁଖ୍ୟ କିପରି ସ୍ପଷ୍ଟ ରହିଛି ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଅନ୍ତରଙ୍ଗ ସମ୍ପର୍କକୁ ନେଇ ବଳାତ୍କାର ଆଇନ ଲାଗୁ କରାଯିବା ଉଚିତ୍‌ ନୁହେଁ । ବିଶେଷକରି ଯେଉଁଠି ମହିଳାମାନେ ସ୍ୱଇଛାରେ କାହା ସହ ସମ୍ପର୍କ ରଖିଥାନ୍ତି । କି;ୁ ଅନେକ ସମୟରେ ଗ୍ରାମାଞ୍ଚଳ, ସମାଜର ଗରିବ ଶ୍ରେଣୀଙ୍କ ପକ୍ଷରୁ କେତେକ ଅଭିଯୋଗ ମଧ୍ୟ ଆସିଥାଏ । ଯେଉଁଥିରେ ଏହି ଶ୍ରେଣୀର ମହିଳାମାନଙ୍କୁ ବିବାହାର ମିଥ୍ୟା ପ୍ରତିଶ୍ରୁତି ଦେଇ ପୁରୁଷମାନେ ଯୌନ ଶୋଷଣ କରିଥାନ୍ତି । ଏହି ସମୟରେ ବଳାତ୍କାର ଆଇନ ସେମାନଙ୍କ ଦୁଃଖକୁ ଦେଖିବାରେ ଅସମର୍ଥ ହୋଇଥାଏ। ତେବେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ଅନୁମତି ଆଣିବା ଏକ ବୈଧ ଅନୁମତି ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଆହୁର ମଧ୍ୟ ଆଇନ କହିଛି ଯେ, ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତିକୁ ବଳାତ୍କାର ଭାବେ ଗ୍ରହଣ କରାଯିବା ସମ୍ପୂର୍ଣ୍ଣ ଭୁଲ୍‌ । ତେଣୁ ଏହି ମାମଲାରେ ଆହୁରି ଅନେକ ଦିଗକୁ ନେଇ ବିଚାର କରାଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶକୁ ରଦ୍ଦ କରିବା ସହ ଆବେଦନକାରୀଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ନିମ୍ନ ଅଦାଲତ ତାଙ୍କ ପାଇଁ ସର୍ତ୍ତାରୋପ କରିବେ । ଏହି ଜାମିନ୍‌ ସମୟରେ ଅଭିଯୁକ୍ତ ପୀଡିତାଙ୍କୁ ଧମକଚମକ ଦେବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି ।

Comments are closed.